Business Today
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବାବେଳେ ଭାରତ ଆଜି ପ୍ରଥମ ଥର ପାଇଁ ପାଲେଷ୍ଟାଇନ ପ୍ରସଙ୍ଗରେ ବିବୃତି ରଖିଛି। ଭାରତ ଏକ ସ୍ବାଧୀନ ଏବଂ ସାର୍ବଭୌମ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦିଗରେ ଏହାର ଦୀର୍ଘକାଳୀନ ସମର୍ଥନରେ ବିଶ୍ବାସ କରେ। ଆମର ନୀତି ଦୀର୍ଘକାଳୀନ ଏବଂ ସ୍ଥିର। ଭାରତ ସର୍ବଦା ଏକ ସାର୍ବଭୌମ ଏବଂ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦିଗରେ ଏବଂ ଇସ୍ରାଏଲ ସହ ଶାନ୍ତିରେ ରହିବା ନେଇ ସିଧାସଳଖ ବୁଝାମଣା ଆରମ୍ଭ କରିବାକୁ ପ୍ରୋତ୍ସାହିତ କରି ଆସିଛି। ଭାରତର ସ୍ଥିତି ଏବେ ବି ସମାନ ରହିଛି ବୋଲି ବିଦେଶ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚି ଆଜି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ ତାରିଖରେ ହମାସ୍ ଦ୍ବାରା ଇସ୍ରାଏଲରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ପ୍ରଥମ ଥର ପାଇଁ ପାଲେଷ୍ଟାଇନ ପ୍ରସଙ୍ଗରେ ବିବୃତି ରଖିଛି। ଇସ୍ରାଏଲ ଏବଂ ଗାଜାରେ ମାନବୀୟ ସ୍ଥିତି ସଂକ୍ରାନ୍ତରେ ବାଗ୍ଚି କହିଛନ୍ତି, ମାନବୀୟ ଆଇନକୁ ପାଳନ କରିବାର ଏକ ବୈଶ୍ବିକ ଦାୟିତ୍ବ ରହିଛି। ଆତଙ୍କବାଦକୁ ଏହାର ସମସ୍ତ ରୂପରେ ମୁକାବିଲା କରିବାର ଦାୟିତ୍ବ ମଧ୍ୟ ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ-ହମାସ ଯୁଦ୍ଧ ସଂକ୍ରାନ୍ତରେ ୨ ଥର ଟିପ୍ପଣୀ ରଖିଛନ୍ତି। ସେ ହମାସ୍ ଦ୍ବାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଇସ୍ରାଏଲର ଏଭଳି ଜଟିଳ ସ୍ଥିତି ସମୟରେ ଭାରତ ଇସ୍ରାଏଲ ସହ ରହିଛି ବୋଲି ସେ ଆଶ୍ବାସନା ଦେଇଥିଲେ।
Follow Us