ନୂଆଦିଲ୍ଲୀ: କ୍ରମାଗତ ପଞ୍ଚମ ଦିନ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ବାତିଲ ଜାରି ରହିଛି। ଗତଶନିବାର ଦେଶର ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଉଡ଼ାଣ ବାତିଲ ଓ ବିଳମ୍ବ ହେବା କାରଣରୁ ବିମାନବନ୍ଦରଗୁଡ଼ିକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଇଣ୍ଡିଗୋ ଏୟାରଲାଇନ୍ସର ପ୍ରତିଦିନ ଶହଶହ ସଂଖ୍ୟାରେ ବିମାନ ବାତିଲ ହେବା ଫଳରେ ବିମାନ ଟିକଟ ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇଛି। ଏଥିଯୋଗୁଁ ଯାତ୍ରୀମାନେ ଶୋଷଣର ଶିକାର ହେଉଛନ୍ତି। 

Advertisment

ଅଧିକପଢ଼ନ୍ତୁ:ୟୁକ୍ରେନ ଉପରେ ବଡ଼ ଆକ୍ରମଣ ଆରମ୍ଭ କଲା ରୁଷ: ୫୧ କ୍ଷେପଣାସ୍ତ୍ର ୬୦୦ରୁ ଅଧିକ ଡ୍ରୋନ୍ ଦ୍ବାରା ବୋମା ମାଡ଼

ଏୟାର ଇଣ୍ଡିଆର ବଡ଼ ପଦକ୍ଷେପ

ଏଭଳି ପରିସ୍ଥିତିରେ ଟାଟା ଗ୍ରୁପର ମାଲିକାନା ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫସି ରହିଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ବଡ଼ ପଦକ୍ଷେପର ଘୋଷଣା କରିଛି। ଏୟାର ଇଣ୍ଡିଆ ପକ୍ଷରୁ ପ୍ରକାଶ, ଡିସେମ୍ବର ୪ ତାରିଖରୁ ସମସ୍ତ ନନ୍-ଷ୍ଟପ୍ ଘରୋଇ ବିମାନରେ ଇକୋନୋମି ଭଡ଼ା ଉପରେ ଏକ ନିଶ୍ଚିତ ସୀମା ଲାଗୁ କରାଯାଇଛି। କେବଳ ଏତିକି ନୁହେଁ ଫସି ରହିଥିବା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଟିକେଟ ପୁନଃନିର୍ଦ୍ଧାରଣ ଏବଂ ବାତିଲକରଣ ଚାର୍ଜରେ ବଡ଼ ରିହାତି ପ୍ରଦାନ କରିଛି। ଯେଉଁ ଯାତ୍ରୀମାନେ ଡିସେମ୍ବର ୪ ତାରିଖ ଭିତରେ ଏୟାରଲାଇନ୍ସରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ କରିଥିଲେ ସେମାନେ ରିସିଡ୍ୟୁଲିଙ୍ଗ ଫିସ୍ ବିନା ଯାତ୍ରାର ତାରିଖ ପରିବର୍ତ୍ତନ କରିପାରିବାର ସୁଯୋଗ ପ୍ରଦାନ କରାଯାଇଛି। ଯଦି ସେମାନେ ଚାହାଁନ୍ତି, ତେବେ ସେମାନେ ସେମାନଙ୍କର ଟିକେଟ ବାତିଲ କରି ପାରିବେ। ଏତଦ୍ ଦ୍ବାରା ଯାତ୍ରୀଙ୍କୁ ଟିକେଟ ପାଇଁ ପୈଠ କରିଥିବା ସମସ୍ତ ଟଙ୍କା ଫେରସ୍ତ କରି ଦିଆଯିବ।

24x7 ସହାୟତା ଏବଂ ଅତିରିକ୍ତ କର୍ମଚାରୀ ନିୟୋଜିତ

ଏୟାର ଇଣ୍ଡିଆ ଏହାର ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିବା ସହିତ ପରିସ୍ଥିତିକୁ ସ୍ବଭାବିକ କରିବା ପାଇଁ  କିଛି ପ୍ରମୁଖ ରୁଟରେ ଅତିରିକ୍ତ ବିମାନ ସେବା ଆରମ୍ଭ କରିଛି। ଏୟାର ଇଣ୍ଡିଆ ଏହା ବି ସ୍ପଷ୍ଟ କରି କହିଛି, ୱେବସାଇଟ୍ ଏବଂ ମୋବାଇଲ୍ ଆପ୍‌ରେ ପୂର୍ବରୁ ଥିବା ରିହାତି ଯୋଜନା ଜାରି ରହିବ। ଯେଉଁଥିରେ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସଶସ୍ତ୍ର ବାହିନୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ସାମିଲ ଅଛନ୍ତି। ଏମାନଙ୍କୁ ପୂର୍ବରୁ ନିର୍ଦ୍ଧାରିତ ଭଡ଼ା ଅପେକ୍ଷା କମ୍ ମୂଲ୍ୟରେ ଟିକେଟ ବୁକ କରିବାର ଲାଭ ମିଳିପାରିବ।

ଅଧିକପଢ଼ନ୍ତୁ:ଇଣ୍ଡିଗୋ ଯନ୍ତ୍ରଣା କମୁନି: ପଞ୍ଚମ ଦିନରେ ବି ୫୦୦ରୁ ଅଧିକ ବିମାନ ବାତିଲ