Image Courtesy of Business Standard
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଘରୋଇ ଏୟାରଲାଇନ୍ ଇଣ୍ଡିଗୋକୁ ଆଜି ଡିଜିସିଏ (ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଏଭିଏସନ୍) ୫ ଲକ୍ଷ ଟଙ୍କା ଜରିମାନା କରିଛି। ଜଣେ ଭିନ୍ନକ୍ଷମ ଶିଶୁ ଏବଂ ତାଙ୍କ ବାପା ମା’ଙ୍କୁ ଗତ ମେ’ ୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଇଣ୍ଡିଗୋ ବିମାନରେ ଯିବା ପାଇଁ ଦିଆଯାଇନଥିଲା। ଡିଜିସିଏ ଏକ ବିବୃତି ଜାରି କରି କହିଛି ଯେ ଭିନ୍ନକ୍ଷମ ଶିଶୁକୁ ବିମାନରେ ଚଢ଼ିବା ପାଇଁ ବାରଣ କରାଯିବା ସଂକ୍ରାନ୍ତ ପ୍ରମାଣ ମିଳିଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଇଣ୍ଡିଗୋର ଗ୍ରାଉଣ୍ଡ୍ କର୍ମଚାରୀ ପରିସ୍ଥିତିକୁ ଠିକ୍ ଭାବେ ତୁଲାଇ ପାରିନାହାନ୍ତି ଏବଂ ଏଭଳି ସ୍ଥିତି ଗ୍ରହଣୀୟ ନୁହେଁ ବୋଲି ଡିଜିସିଏ ବୟାନରେ କୁହାଯାଇଛି। ଇଣ୍ଡିଗୋ କର୍ମଚାରୀ ଭିନ୍ନକ୍ଷମ ଶିଶୁଙ୍କ କ୍ଷେତ୍ରରେ ସମ୍ବେଦନାର ସହ ପଦକ୍ଷେପ ନେବା ବଦଳରେ ବେପରୁଆ ଆଚରଣ ଦେଖାଇଛନ୍ତି। ଏହାଦ୍ବାରା ସେମାନେ ବେସାମରିକ ବିମାନ ଚଳାଚଳ ନିୟମାବଳୀର ଉଲ୍ଲଂଘନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମେ’ ୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଭିନ୍ନକ୍ଷମ ଶିଶୁଙ୍କୁ ଇଣ୍ଡିଗୋ ମ୍ୟାନେଜର୍ ଅଟକାଇ କହିଥିଲେ ଯେ ସମସ୍ୟା ଥିବା ଏହି ଶିଶୁଙ୍କୁ ଆମେ ବୋର୍ଡିଂ ସୁଯୋଗ ଦେବୁନାହିଁ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବିଭିନ୍ନ ମହଲ ଏହାର କଡ଼ା ସମାଲୋଚନା କରିଛନ୍ତି।
Follow Us