ସମୁଦ୍ରରେ ଖସିଲା ବିମାନ : ୧୮୯ ମୃତ

Advertisment
ସମୁଦ୍ରରେ ଖସିଲା ବିମାନ : ୧୮୯ ମୃତ

ଜାକର୍ତା : ଇଣ୍ଡୋନେସିଆ ରାଜଧାନୀ ଜାକର୍ତା ନିକଟରେ ଆଜି ଏକ ବିମାନ ସମୁଦ୍ର ମଧ୍ୟକୁ ଖସିପଡ଼ିଛି। ଫଳରେ ବିମାନରେ ଥିବା ସମସ୍ତ ୧୮୯ ଜଣ ଯାତ୍ରୀ ଓ କର୍ମଚାରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଭାରତୀୟ ପାଇଲଟ୍‌ ଭାବ୍ୟେ ସୁନେଜାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଇଣ୍ଡୋନେସିଆର ବିମାନ ସେବା ପ୍ରଦାନକାରୀ କମ୍ପାନି ଲାୟନ୍‌ ଏୟାର୍‌ର ଜେଟି ୬୧୦ ବିମାନ ଆଜି ସକାଳ ପ୍ରାୟ ୬.୨୧ ମିନିଟ୍ ସମୟରେ ଗ୍ରେଟର ଜାକର୍ତାର ଟା‌େଙ୍ଗରାଙ୍ଗ୍‌ ସ୍ଥିତ ସୋକାର୍ନୋ-ହାଟ୍ଟା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଣ୍ଡୋନେସିଆର ବୃହତ୍ତମ ସହର ପାଙ୍ଗକଲ୍‌ ପିନାଙ୍ଗ୍‌ ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣ ଆରମ୍ଭ କରିବାର ମାତ୍ର ୧୩ ମିନିଟ୍‌ ପରେ ବିମାନଟି ଜାଭା ସମୁଦ୍ର ମଧ୍ୟକୁ ଖସି ପଡ଼ିଛି।

ଇଣ୍ଡୋନେସିଆର ଜାତୀୟ ସର୍ଚ୍ଚ ଆଣ୍ଡ୍‌ ରେସକ୍ୟୁ ଏଜେନ୍ସି (ସାର୍‌) ସୂତ୍ରରୁ ଜଣାଯାଇଛି ଯେ ବିମାନରେ ସମୁଦାୟ ୧୮୧ ଜଣ ଯାତ୍ରୀ, ୬ ଜଣ ବିମାନ କର୍ମଚାରୀ ଏବଂ ୨ ଜଣ ପାଇଲଟ୍‌ ଥିଲେ। କୌଣସି ଜଣେ ‌ହେଲେ ବଞ୍ଚିନାହାନ୍ତି। ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ସମୁଦ୍ରରୁ କେବଳ ଖଣ୍ଡ ବିଖଣ୍ଡିତ ଶରୀର ଉଦ୍ଧାର ହୋଇଛି। ପାଖାପାଖି ୩୦୦ ସଦସ୍ୟ ବିଶିଷ୍ଟ ଉଦ୍ଧାରକାରୀ ଦଳ ଏବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବିମ‌ାନଟି ସମୁଦ୍ରରେ ୩୦ରୁ ୩୫ ମିଟର ଭିତରକୁ ପଶିଯାଇଥିବା ଜଣାପଡ଼ିଛି। ସେଠାରୁ କେତେକ ଯାତ୍ରୀଙ୍କ ମୃତଦେହ, ବିମାନର ଭଗ୍ନାବଶେଷ ଏବଂ ଅନ୍ୟ କେତେକ ସାମଗ୍ରୀ ମିଳିଛି। ବ୍ଲାକବକ୍ସ ମିଳିବା ପରେ ଯାଇ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

publive-image

ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସମୟ ମଧ୍ୟ‌େର ପାଇଲଟ୍‌ ବିମାନବନ୍ଦରକୁ ଫେରି ଆସିବା ପାଇଁ ଏୟାର ଟ୍ରାଫିକ୍‌ କ‌େଣ୍ଟ୍ରାଲ୍‌(ଏଟିସି)କୁ ଅନୁରୋଧ କରିଥିଲେ। କିନ୍ତୁ ସେଭଳି କୌଣସି ଜରୁରୀ ସ୍ଥିତି ସମ୍ପର୍କରେ ଅବଗତ କରିନଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏଟିସି ସହିତ ବିମାନର ଯୋଗାଯୋଗ ବିଚ୍ଛିନ ହୋଇ ଯାଇଥିଲା। ଫଳରେ ବିମାନଟି ଆଉ ଫେରିବାକୁ ସମର୍ଥ ହୋଇନଥିଲା। ଜାଭା ସମୁଦ୍ର ମଧ୍ୟରେ ହିଁ ବିମାନଟି ଖସି ପଡ଼ିଥିଲା। ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ୮ ର ଏହି ନୂଆ ମଡେଲ୍‌ ବିମାନରେ ଗତ ରବିବାର ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା‌ ବୋଲି ଏୟାର ଲାୟନ୍‌ର ସିଇଓ ଏଡୱାର୍ଡ ସିରେଟ୍‌ କହିଛନ୍ତି। ଏହାପରେ ଇଞ୍ଜିନିୟରମାନେ ଉକ୍ତ ଯାନ୍ତ୍ରିକ ତ୍ରୁଟିକୁ ଯାଞ୍ଚ କରିବା ସହ ଏହାର ମରାମତି କରିଥିଲେ ଏବଂ ବିମାନଟି ଉଡ଼ାଣ ପାଇଁ ଉପଯୁକ୍ତ ବୋଲି କହିଥ‌ିଲେ। ଏହାପରେ ଆଜି ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଇଣ୍ଡୋନେସିଆ ଅର୍ଥ ମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରବତୀଙ୍କ କହିବାନୁଯାୟୀ ବିମାନ‌ରେ ପାଖାପାଖି ୨୦ ଜଣ ବିଭାଗୀୟ ଅଧିକାରୀ ଥିଲେ।

କୁହାଯାଉଛି ଯେ ୧୯୯୭ ମସିହା ପରେ ଏହା ହେଉଛି ଦେଶର ଦ୍ବିତୀୟ ବଡ଼ ବିମାନ ଦୁର୍ଘଟଣା। ଗରୁଡ଼ ଇଣ୍ଡୋନେସିଆର ଏ-୩୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୧୪ ଲୋକ ପ୍ରାଣ ହରାଇଥିଲେ। ଇଣ୍ଡେ‌ାନେସିଆ ରାଷ୍ଟ୍ରପତି ଜୋକୋ ୱ‌ିଡ଼ୋଡ଼ୋ ଉକ୍ତ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe