ଡେଲ୍‌ଟା ଯୋଗୁଁ ବିଶ୍ବରେ ସଂକ୍ରମଣ ବଢ଼ୁଛି: ୧୦୦ ଦେଶକୁ ବ୍ୟାପିଲାଣି ଅଷ୍ଟ୍ରେଲିଆରେ ଲକ୍‌ଡାଉନ

ଡେଲ୍‌ଟା ଯୋଗୁଁ ବିଶ୍ବରେ ସଂକ୍ରମଣ ବଢ଼ୁଛି: ୧୦୦ ଦେଶକୁ ବ୍ୟାପିଲାଣି ଅଷ୍ଟ୍ରେଲିଆରେ ଲକ୍‌ଡାଉନ

ନୂଆଦିଲ୍ଲୀ: କରୋନାଭୂତାଣୁର ଡେଲ୍‌ଟା ପ୍ରଜାତି ଯୋଗୁଁ ଇଣ୍ଡୋନେସିଆ, ଆମେରିକା, ଅଷ୍ଟ୍ରେଲିଆରେ ସଂକ୍ରମଣ ବୃଦ୍ଧି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲ୍‌ଟା ପ୍ରଜାତି ଯାହା ଅନ୍ୟ ପ୍ରଜାତିଠାରୁ ଅପେକ୍ଷାକୃତ ଅଧିକ ସଂକ୍ରମଣଶୀଳ ତାହା ଏବେ ମହାମାରୀ ବିରୋଧ ପ୍ରୟାସରେ ବାଧା ସୃଷ୍ଟି କରୁଛି। ଆମେରିକାର ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ .ଆନ୍ଥୋନୀ ଫୌସିଙ୍କ ମତରେ ଏହି ପ୍ରଜାତି ବିଶ୍ୱର ପ୍ରାୟ ୧୦୦ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ୟୁରୋପ୍‌ର ଡ୍ରଗ୍ ରେଗୁଲେଟର କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା କୋଭିଡ ସଂକ୍ରମଣର ୯୦ ପ୍ରତିଶତ ମାମଲା ଡେ଼ଲ୍‌ଟା ପ୍ରଜାତି ଯୋଗୁଁ ହେବ। ତେଣୁ ଏହାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ହେବ।

ଇଣ୍ଡୋନେସିଆରେ ଜୁଲାଇ ମାସର ପ୍ରଥମ ଭାଗରେ ୧୧୪ଜଣ ଡାକ୍ତରଙ୍କ କୋଭିଡ୍‌ଜନିତ ମୃତ୍ୟ ହୋଇଥିବା ବେଳେ ବିଶେଷଜ୍ଞ ମାନେ ଏହାର କାରଣ ଡେଲ୍‌ଟା ପ୍ରଜାତିି ବୋଲି ଦର୍ଶାଇଛନ୍ତି। ‘ୱାସିଂଟନ ପୋଷ୍ଟ’ରେ କୁହାଯାଇଛି ଯେ ଏହା ଯୋଗୁଁ ହସ୍ପିଟାଲ ବେଡ୍‌ ଏବଂ ଅକ୍ସିଜେନର ଆବଶ୍ୟକତାରେ ବୃଦ୍ଧି ଘଟିଛି। ଥାଇଲାଣ୍ଡ, ଭିଏତନାମା ଏବଂ ମାଲେସିଆ ପରି ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଥିବାରୁ ଡେଲ୍‌ଟା ପ୍ରଜାତି ଚିନ୍ତାଜନକ ବିଷୟ ପାଲଟିଛି। ଆମେରିକାରେ ଡେଲଟା ଭ୍ୟାରିଆଣ୍ଟ ଯୋଗୁଁ ଏହି ସପ୍ତାହରେ ସଂକ୍ରମଣ ସଂଖ୍ୟା ୭୦ ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା ୨୬ ପ୍ରତିଶତ ପାଇଛି। ଜୁନ୍ ମାସରେ ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସ ଦେଖା ଦେଇଥିବା ବେଳେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୨୬ ହଜାରରୁ ଅଧିକ ରହିଛି।

ଅଷ୍ଟ୍ରେଲିଆରେ ପ୍ରାୟ ୨୫ ନିୟୁତ ଲୋକ ଡେଲଟା ଭାରିଆଣ୍ଟର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନରେ ରହୁଛନ୍ତି। ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ କହିଛନ୍ତି, ଦେଶବ୍ୟାପୀ ନୂତନ ସଂକ୍ରମଣରେ ସାମାନ୍ୟ ହ୍ରାସ ସତ୍ୱେ ଅତ୍ୟଧିକ ସଂକ୍ରମଣକୁ ରୋକିବା ପାଇଁ କିଛି ଅଂଚଳରେ ନୂତନ ଭାବେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଭିକ୍ଟୋରିଆ ରାଜ୍ୟର ଶାସନ ମୁଖ୍ୟ ଡାନିଏଲ ଆଣ୍ଡ୍ର୍ୟୁସ କହିଛନ୍ତି ଯେ ଦିନକୁ ଦିନ ଅଧିକ ମାମଲା ଚିହ୍ନଟ ହେଉଥିବାରୁ ଲକଡାଉନ୍ ନିୟମକୁ ହଟାଯିବ ନାହିଁ। ଜୁଲାଇ ୩୦ରୁ ରାଜଧାନୀ ସିଡ୍‌ନିରେ ପାଞ୍ଚ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe