ନୂଆଦିଲ୍ଲୀ: ଦେଶରେ ଲଗାତାର ୨ ଦିନ ଧରି ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୁରୁବାର ଦେଶରେ ୩,୦୧୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩,୦୯୫ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୧୫ ହଜାର ଟପିଯାଇଛି। ତେବେ ଦେଶରେ ସକ୍ରିୟ ମାମଲା ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଦେଶରେ ୪୪୧୬୯୭୧୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ।
ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୮.୭୮ ପ୍ରତିଶତ। ଗତ ୨୪ ଘଣ୍ଟାରେ ଗୋଆ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୮୬୭ରେ ପହଞ୍ଚିଛି। ଦେଶର ପଜିଟିଭ୍ ହାର ୨.୬୧ ପ୍ରତିଶତ। ସାପ୍ତାହିକ ପଜିଟିଭ୍ ହାର ୧.୯୧ ପ୍ରତିଶତ। ମହାରାଷ୍ଟ୍ରରେ ସଂକ୍ରମଣ ଅତି ଦ୍ରୁତ ହେଉଥିବାରୁ ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିବାକୁ ଚିନ୍ତା କରାଯାଉଛି।
Follow Us