୫ ରାଜ୍ୟ‌ରେ ସଂକ୍ରମଣ ବଢ଼ୁଛି: ସତର୍କ କଲେ କେନ୍ଦ୍ର ସରକାର

Advertisment

ଟେଷ୍ଟିଂ ସୁବିଧା ବଢ଼ାଇବା ପାଇଁ ସୁପାରିସ

ଟେଷ୍ଟିଂ ସୁବିଧା ବଢ଼ାଇବା ପାଇଁ ସୁପାରିସ

୫ ରାଜ୍ୟ‌ରେ ସଂକ୍ରମଣ ବଢ଼ୁଛି: ସତର୍କ କଲେ କେନ୍ଦ୍ର ସରକାର

The Indian Express

ନୂଆଦିଲ୍ଲୀ: ଓମିକ୍ରନ୍‌ ଭୟ ମଧ୍ୟରେ ଦେଶରେ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବଢ଼ିଛି। ଓଡ଼ିଶା, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ଧରି ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସରକାର ଉପରୋକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ବାରା ପଠାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଉକ୍ତ ରାଜ୍ୟମାନଙ୍କରେ ୧୩ଟି ଜିଲ୍ଲାରେ ଗତ ଗୋଟିଏ ମାସ ଧରି ସଂକ୍ରମଣ ବଢ଼ିଛି। ଏହି ରାଜ୍ୟମାନେ ଦେଶରେ ୫୫.୮୭ ପ୍ରତିଶତ ନୂଆ ମାମଲା ପାଇଁ ଦାୟୀ। କର୍ଣ୍ଣାଟକରେ ଦେଶର ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି।

ବେଙ୍ଗାଲୁରୁ ସହରାଞ୍ଚଳରେ ସାପ୍ତାହିକ କରୋନା ମୃତ୍ୟୁ ବଢ଼ିଛି। ନଭେମ୍ବର ୫ରେ ଶେଷ ହେଉଥିବା ସପ୍ତାହରେ ବେଙ୍ଗାଲୁରୁ ସହରାଞ୍ଚଳରେ କରୋନା ମୃତ୍ୟୁ ୮ ଥିଲା, କିନ୍ତୁ ଡିସେମ୍ବର ୨ ତାରିଖରେ ଶେଷ ହେଉଥିବା ସପ୍ତାହରେ କରୋନା ମୃତ୍ୟୁ ୧୪କୁ ବୃଦ୍ଧି ପାଇଛି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ କରୋନା ସଂକ୍ରମଣ ୨ ସପ୍ତାହ ମଧ୍ୟରେ ୧୫୨ ପ୍ରତିଶତ ବୃଦ୍ଧି ପାଇଛି।

ମିଜୋରାମର କିଛି ଜିଲ୍ଲାରେ ପଜିଟିଭ୍‌ ହାର ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। କରୋନା ନିୟନ୍ତ୍ରଣ ପାଇଁ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ବୋଲି ଭୂଷଣ ମିଜୋରାମ ସ୍ବାସ୍ଥ୍ୟ ସଚିବଙ୍କୁ କହିଛନ୍ତି। ଓଡ଼ିଶାରେ ସାପ୍ତାହିକ କୋଭିଡ ଟେଷ୍ଟ୍‌ କମିଛି। ନଭେମ୍ବର ୨୬ରେ ଶେଷ ହେଉଥିବା ସପ୍ତାହରେ ଓଡ଼ିଶାରେ ‌ଟେଷ୍ଟିଂ ୪,୦୧,୧୬୪ ଥିଲା କିନ୍ତୁ ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ଟେଷ୍ଟିଂ ୩,୮୮,୭୮୮ ରହିଛି। ଗତ ୧୪ ଦିନ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସଂକ୍ରମଣ ବଢ଼ିଛି। ସେହିପରି ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସଂକ୍ରମଣ ମାମଲାରେ ୭୩୬ ପ୍ରତିଶତ ବୃଦ୍ଧି ହୋଇଛି। କେରଳରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଛି।

କେରଳରେ ସାପ୍ତାହିକ କରୋନା ମୃତ୍ୟୁ ଚଳିତ ସପ୍ତାହରେ ବଢ଼ିଛି। ନଭେମ୍ବର ୨୬ରେ ଶେଷ ହେଉଥିବା ସପ୍ତାହରେ କେରଳର କରୋନା ମୃତ୍ୟୁ ୧୮୯୦ ଥିଲା କିନ୍ତୁ ଡିସେମ୍ବର ୩ରେ ଶେଷ ହେଉଥିବା ସପ୍ତାହରେ କେରଳ କରୋନା ମୃତ୍ୟୁ ୨,୧୧୮କୁ ବୃଦ୍ଧି ପାଇଛି। ଥ୍ରିସୁର ଜିଲ୍ଲାରେ ନଭେମ୍ବର ୧୯ରୁ ୨୫ ମଧ୍ୟରେ କରୋନା ମୃତ୍ୟୁ ୧୨ ଥିଲା କିନ୍ତୁ ପରବର୍ତ୍ତୀ ସପ୍ତାହରେ କରୋନା ମୃତ୍ୟୁସଂଖ୍ୟା ଏଠାରେ ୧୨୮କୁ ବୃଦ୍ଧି ପାଇଛି। ସେହିପରି ମଲପ୍ପୁରମରେ ଏହି ସମାନ ସମୟ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୦ ଥିଲା କିନ୍ତୁ ପରବର୍ତ୍ତୀ ସପ୍ତାହରେ ଏହା ୧୦୯କୁ ବୃଦ୍ଧି ପାଇଛି।

୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ବିଷୟରେ ସରକାର ବିଚାର କରୁଛନ୍ତି

କୋଭିଡ୍‌-୧୯ର ନୂତନ ପ୍ରଜାତି ଓମିକ୍ରନ୍ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ପରିପ୍ରେକ୍ଷୀରେ ଭାରତ ସରକାର ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ନେଇ ସମସ୍ତ ବୈଜ୍ଞାନିକ ତଥ୍ୟର ଅନୁଶୀଳନ କରୁଥିବା ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି। ପାୱାର ଶୁକ୍ରବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, କୋଭିଡ୍‌-୧୯ ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଦଳ ଓ ଟିକାକରଣର ଜାତୀୟ ବୈଷୟିକ ଉପଦେଷ୍ଟାମଣ୍ଡଳୀ ବର୍ତ୍ତମାନ ୧୨ରୁ ୧୭ ବର୍ଷର ପିଲାମାନଙ୍କୁ ଟିକା ଦେବା ସମ୍ପର୍କିତ ସମସ୍ତ ବୈଜ୍ଞାନିକ ଦିଗ ବିଷୟରେ ତର୍ଜମା କରୁଛନ୍ତି।

ଶିଶୁ ଓ କିଶୋରଙ୍କୁ ଟିକା ଦେବା ପାଇଁ ବାହାରୁ କୌଣସି ଟିକା ଆମଦାନି ପ୍ରସ୍ତାବ ଏବେ ବିଚାରାଧୀନ ନାହିଁ ବୋଲି ସେ କହିଥିଲେ। ପିଲାଙ୍କ ପାଇଁ ଟିକା ଆମଦାନି ବିଷୟରେ ପ୍ରଶ୍ନର ଉତ୍ତର ଦେଇ ପାୱାର କହିଥିଲେ ଯେ, କାଡିଲା ହେଲ୍‌ଥ କେୟାର ଦ୍ବାରା ପ୍ରସ୍ତୁତ ଜାଇକୋଭ୍-ଡି ଟିକାକୁ ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବା ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛି। ୨ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ପାଇଁ ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ ଉପରେ ୨ୟ ଓ ୩ୟ ପର୍ଯ୍ୟାୟ କ୍ଳିନିକାଲ ଟେଷ୍ଟ ଜାରି ରହିଛି। ଏ ପର୍ଯ୍ୟନ୍ତ ଏହା ନିରାପଦ ଓ ଫଳପ୍ରଦ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe