ଆମେରିକା ଗୁଇନ୍ଦା ଅଧିକାରୀଙ୍କ ସୂଚନା; ରାଗରେ ଜଳୁଛନ୍ତି ପୁଟିନ

Advertisment
ଆମେରିକା ଗୁଇନ୍ଦା ଅଧିକାରୀଙ୍କ ସୂଚନା; ରାଗରେ ଜଳୁଛନ୍ତି ପୁଟିନ

Image Courtesy of India Today

ୱାସିଂଟନ: ୟୁକ୍ରେନ ଉପରେ ରୁଷ୍‌ ସେନା ଗତମାସ ୨୪ ତାରିଖରୁ ସାମରିକ ଆକ୍ରମଣ ଚଳାଇଛି। ଯୁଦ୍ଧ ଆରମ୍ଭ ପୂର୍ବରୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭାବିଥିଲେ ଯୁଦ୍ଧରେ ରୁଷ୍‌ ସେନା ୟୁକ୍ରେନ ଉପରେ ଦୁଇଦିନ ମଧ୍ୟରେ ଆଧିପତ୍ୟ ଜାହିର କରିବ। କିନ୍ତୁ ଯୁଦ୍ଧକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ୍‌ ସେନାର ମିସନ୍‌ ସଫଳ ହୋଇନାହିଁ। ଏଥିପାଇଁ ପୁଟିନ ହତାଶ ଏବଂ କ୍ରୋଧରେ ଜଳୁଛନ୍ତି। ୟୁକ୍ରେନରେ ଉପରେ ଅଧିକ ହିଂସ୍ର ହୋଇ ଅଧିକ ଧ୍ବଂସଲୀଳା ରଚିବା ପାଇଁ ସେ ଆଗ୍ରହ ବ୍ୟକ୍ତ କରିପାରନ୍ତି। ଆମେରିକାର ଗୁଇନ୍ଦା ଅଧିକାରୀମାନେ ପୁଟିନଙ୍କ ମନୋଭାବ ସଂପର୍କରେ ଏଭଳି ଆକଳନ କରିଛନ୍ତି। ୟୁ‌କ୍ରେନ ଯେଉଁ ପ୍ରତିରୋଧ ଠିଆ କରିଛି ତାହାକୁ ହଟାଇବା ପାଇଁ ରୁଷ୍‌ ରାଷ୍ଟ୍ରପତି ଯୁଦ୍ଧକୁ ଆହୁରି ବ୍ୟାପକ କରିବ‌େ ବୋଲି ଅଧିକାରୀମାନେ ଖୋଲାଖୋଲି ଭାବେ ଗତ କିଛିଦିନ ହେଲା କହୁଛନ୍ତି।

ରୁଷ୍‌ ନିକଟରେ ଏବେ ବି ଯଥେଷ୍ଟ ସାମରିକ ଦକ୍ଷତା ରହିଛି। ୟୁକ୍ରେନ ଉପରେ ଆହୁରି କିଛି ସପ୍ତାହ ପାଇଁ ଏହି ଦେଶ ଆକ୍ରମଣ କରିପାରିବ। ୟୁକ୍ରେନରେ ଯୁଦ୍ଧ ଯୋଗୁ ଯେଉଁସବୁ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି ତାହାକୁ ଦେଖିବା ପରେ ବିଶ୍ବ ପ୍ରତିକ୍ରିୟା ପ୍ରକାଶ କରୁଛି। ଅନ୍ୟପକ୍ଷରେ ପୁଟିନ ନିଜ ଦେଶରେ ଯେଉଁ ଚାପର ସମ୍ମୁଖୀନ ହେବା କଥା ତାହା ହେଉନାହାନ୍ତି। କାରଣ ସେ ଦୀର୍ଘବର୍ଷ ହେଲା ନିଜ ବିଷୟରେ ଅତ୍ୟଧିକ ପ୍ରଚାର କରି ‌ଲୋକଙ୍କ ସମ୍ମୁଖରେ ନିଜର ଏକ ଭିନ୍ନ ଧାରଣା ସୃଷ୍ଟି କରିଛନ୍ତି ବୋଲି କଂଗ୍ରେସରେ ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି। ପୁଟିନଙ୍କ ଜଟିଳ ମାନସିକତାଜୁ ଜାଣିବା ପାଶ୍ଚତ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କାରଣ ସେମାନେ ୟୁକ୍ରେନକୁ ଅଧିକରୁ ଅଧିକ ସାମରିକ ସହାୟତା ଯୋଗାଇ ଦେଉଛନ୍ତି। ନାଟୋ ଉପରେ ସିଧାସଳଖ ହମଲା କରିବା କିମ୍ବା ଆଣବିକ ବଟନ ଦବାଇବାରୁ ପୁଟିନଙ୍କୁ ବର୍ତ୍ତମାନ ସୁଦ୍ଧା ଅଟକାଇ ପାରିଥିଲେ ବି ଏ ନେଇ ଭୟ ରହିଛି।

ଗତ ସପ୍ତାହରେ ବର୍ନସ୍‌ କଂଗ୍ରେସରେ ହାଜର ହୋଇଏସବୁ ତଥ୍ୟ ଏବଂ ଉତ୍ତର ରଖିଛନ୍ତି। ବର୍ନସଙ୍କ କହିବା ଅନୁଯାୟୀ, ପାଶ୍ଚାତ୍ୟ ଦେଶଗୁଡ଼ିକ ବିଭିନ୍ନ ପ୍ରକାର କଟକଣା ଲଗାଇବା ଦ୍ବାରା ରୁଷ୍‌ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିଛି। ବର୍ନସ ମସ୍କୋରେ ଆମେରିକାର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ପୁଟିନଙ୍କୁ ଏକାଧିକ ଥର ସେ ଭେଟିଛନ୍ତି। ପୁଟିନଙ୍କ ମାନସିକ ସ୍ଥିତି ସଂପର୍କରେ ପଚାରିବାରୁ ବର୍ନସ କହିଥିଲେ ସେ ପୁଟିନଙ୍କୁ ପାଗଳ ବୋଲି ବିଶ୍ବାସ କରନ୍ତି ନାହିଁ। କିନ୍ତୁ ପୁଟିନ ବର୍ତ୍ତମାନ ରାଗି ଯାଇଛନ୍ତି ଏବଂ ହତାଶ ହୋଇ ପଡ଼ିଛନ୍ତି। ତେଣୁ ୟୁକ୍ରେନ ଉପରେ ଆକ୍ରମଣକୁ ଦୁଇଗୁଣା କରିପାରନ୍ତି ଏବଂ ୟୁକ୍ରେନ ସେନାକୁ ଧ୍ବଂସ କରିବା ପାଇଁ ସାଧାରଣ ଲୋକଙ୍କ ମୃତ୍ୟୁକୁ ମଧ୍ୟ ସେ ଖାତିର କରିବେ ନାହିଁ ବୋଲି ବର୍ନସ କହିଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଅବରିଲ୍ ହେନ୍‌ସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ପୁଟିନ ପରାଜୟଙ୍କୁ ହଜମ କରିପାରିବ‌େ ନାହିଁ। ତେବେ ରୁଷ୍‌କୁ ଯେଉଁ ମୂଲ୍ୟ ଦେବାକୁ ପଡ଼ୁଛି ସେଦୃଷ୍ଟିରୁ ପୁଟିନଙ୍କ ପାଇଁ ବିଜୟର ପରିଭାଷା କିଛିଟା ପରିବର୍ତ୍ତନ ହୋଇପାରେ। ନିକଟରେ ପୁଟିନ ତାଙ୍କ ଦେଶର ଆଣବିକ ଯୁଦ୍ଧ ଟିମ୍‌କୁ ସର୍ବାଧିକ ସ୍ତରର ସର୍ତକତା ଅବଲମ୍ବନ ପାଇଁ କହିଥିଲେ। ୟୁକ୍ରେନକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଯେଭଳି ଅଧିକ ସହାୟତା ଦେବାରୁ ବିରତ ରହିବ‌େ ତାହା ପଛର ଉଦ୍ଦେଶ୍ୟ ତାହା ରହିଥିଲା ବୋଲି ହେନ୍‌ସ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe