closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added
ଲକ୍ଷ୍ନୌ,: ୟୁପିର ଶାହଜାହନପୁରରେ ଅତି ଅମାନବୀୟ କାଣ୍ଡ ଘଟିଛି। ରୋଜଗାରିଆ ପୁଅ ଥାଉ ଥାଉ ମା’ର ଅନାହାର ମୃତ୍ୟୁ ହୋଇଛି। ମା’ର ମୃତ୍ୟୁପାଇଁ ପୁଅ ହିଁ ଦାୟୀ। ମା’କୁ ଘରେ ତାଲା ପକାଇ ଦେଇ ପାଖାପାଖି ମାସେ ହେବ ପୁଅ କୁଆଡ଼େ ପଳାଇଛି। ଫଳରେ ନଖାଇ ନପିଇ ମା’ର ମୃତ୍ୟୁ ହୋଇ ଯାଇଛି।
ଶାହଜାହନପୁର ରେଳବାଇ କଲୋନିରେ ଏହି ଘଟଣା ଘଟିଛି। ୭୫ ବର୍ଷୀୟା ଲୀଳାବତୀ ଜଣେ ପୂର୍ବତନ ବିଧାନ ପରିଷଦ ସଦସ୍ୟଙ୍କ ପତ୍ନୀ। ଦିନ ଥିଲା ସେ ଖୁବ୍ ବିଳାସରେ ବଢ଼ିଥିଲେ। ଧନର ଅଭାବ ନଥିଲା। କିନ୍ତୁ ଆଜି ତାଙ୍କର ଅନାହାର ମୃତ୍ୟୁ ହୋଇଛି। ପୁଅ ସଲିଲ୍ ଚୌଧୁରି ରେଳବାଇରେ ଟିକେଟ୍ କଲେକ୍ଟର ଭାବେ କାର୍ଯ୍ୟ କରେ। ତେବେ ପତ୍ନୀ ଛାଡ଼ିଦେବାପରେ ସେ ଏକ ପ୍ରକାର ନିଃସଙ୍ଗ ହୋଇ ଯାଇଥିଲା। ମା’ଙ୍କ ସହ ରହୁଥିଲା ସଲିଲ୍। କିନ୍ତୁ ମା’ର ଉଚିତ୍ ଯତ୍ନ ନେଲାନି। ପ୍ରତିଦିନ ମା’କୁ କିଛି ଖାଇବା ଦେଇ ଘର ବାହାରୁ ତାଲା ପକାଇ ଦେଇ ସେ ଚାଲିଯାଏ। ମା’ର ବି ପୁଅ ଉପରେ ଭରସା ଥାଏ ଯେ ପୁଅ ନିଶ୍ଚିତ ଫେରିବ। କିନ୍ତୁ ପାଖାପାଖି ମାସେ ବିତିଗଲା ପଛେ ସଲିଲ୍ ଆଉ ଫେରିଲାନି। ନଖାଇ ନପିଇ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇ ଯାଇଛି। ପାଖାପାଖି ୨ ଦିନ ପର୍ଯ୍ୟନ୍ତ ଉକ୍ତ ଘରୁ ଦୁର୍ଗନ୍ଧ ଆସିବାପରେ ପାଖ ପଡୋଶୀ ଲୋକ ପୁଲିସରେ ଖବର ଦେଇଥିଲେ। ପୁଲିସ ଘରର କବାଟ ଭାଙ୍ଗି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ପାଖାପାଖି ସପ୍ତାହେ ହେବ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶାହଜାହନପୁର ଏସଏସ୍ପି ଓମ୍ ଶିବ ଅବସ୍ତି କହିଛନ୍ତି ଯେ ସଲିଲ୍ ଗତ ଦୁଇ ମାସ ହେବ କାର୍ଯ୍ୟରେ ଯୋଗ ଦେଇନି। ତା’କୁ ହ୍ବାଟ୍ସଆପ୍ ଦ୍ବାରା ତା’ ମା’ଙ୍କ ମୃତ୍ୟୁ ଖବର ଦିଆଯାଇଛି।
Follow Us