ଆଇଏନ୍‌ଏସ୍ ଭେଲା, ସ୍କର୍ପିନ୍ ଶ୍ରେଣୀର ଚତୁର୍ଥ ଲଢ଼ୁଆ ବୁଡ଼ାଜାହାଜ ନୌବାହିନୀରେ ସାମିଲ

ଆଇଏନ୍‌ଏସ୍ ଭେଲା, ସ୍କର୍ପିନ୍ ଶ୍ରେଣୀର ଚତୁର୍ଥ ଲଢ଼ୁଆ ବୁଡ଼ାଜାହାଜ ନୌବାହିନୀରେ ସାମିଲ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସ୍କର୍ପିନ୍ ଶ୍ରେଣୀର ଚତୁର୍ଥ ଲଢ଼ୁଆ ବୁଡ଼ାଜାହାଜ ଆଇନ୍‌ଏସ୍‌ ଭେଲା ଗୁରୁବାର ସାମିଲ ହୋଇଛି। ଏହାଦ୍ବାରା ନୌସେନାର ଆକ୍ରାମକ ‌କ୍ଷମତା ବୃଦ୍ଧି ପାଇଛି। ପ୍ରୋଜେକ୍ଟ ୭୫ ଅଧୀନରେ ଆଇଏନ୍‌ଏସ୍‌ ଭେଲାର ପ୍ରତିଷ୍ଠା କାର୍ଯ୍ୟ କରାଯାଇଛି। ଏହି ପ୍ରୋଜେକ୍ଟ ଅଧୀନରେ ୬ଟି ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ନୌବାହିନୀରେ ଅନ୍ତର୍ଭୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଲଢ଼ୁଆ ବୁଡ଼ାଜାହାଜଗୁଡ଼ିକ ପାଣି ଉପର ଯୁଦ୍ଧ, ପାଣି ତଳ ଯୁଦ୍ଧ, ଗୁଇନ୍ଦା ତଥ୍ୟ ସଂଗ୍ରହ, ମାଇନ ବିଛାଇବା, ଅଞ୍ଚଳ ସର୍ବେକ୍ଷଣ ଆଦି ବହୁମୁଖୀ କାର୍ଯ୍ୟ କରିବାକୁ ସକ୍ଷମ।

ଏହା ପୂର୍ବରୁ ଏପରି ତିନୋଟି ବୁଡ଼ାଜାହାଜ କାଲାବରୀ, ଖଣ୍ଡେରୀ ଓ କରଞ୍ଜ ନୌସେନାରେ ସାମିଲ ହୋଇଥିଲା। ଭେଲା ହେଉଛି ଚତୁର୍ଥ। ଆଇଏନ୍‌ଏସ୍ ଭେଲା ଗୁରୁବାର ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଛି। ମୁମ୍ବାଇର ମାଝଗାଓଁ ଡକ୍ ସିପ୍‌ବିଲ୍‌ଡର୍ସ ଲିମିଟେଡ୍ ଦ୍ବାରା ମେସର୍ସ ନାଭାଲ ଗ୍ରୁପ୍ ଅଫ୍ ଫ୍ରାନ୍ସର ସହଯୋଗରେ ଏହା ନିର୍ମିତ ହୋଇଛି। ଶତ୍ରୁପକ୍ଷ ଉପରେ ଏହାର ପ୍ରବଳ ଆକ୍ରମଣକାରୀ କ୍ଷମତା ଥିବା ବେଳେ ଏହାର ଗତିବିଧିକୁ ଶତ୍ରୁପକ୍ଷର ରାଡାର ଧରିବା ସହଜ ନୁହେଁ। ଏହା ଏପରି ଭାବେ ନିର୍ମିତ ଯେ ପାଣି ଭିତରେ ଗତି କଲାବେଳେ ବିଶେଷ ଶବ୍ଦ ହେବ ନାହିଁ। ସୁପରିଚାଳିତ ଅସ୍ତ୍ରଶସ୍ତ୍ର ଦ୍ବାରା ଏହା ଶତ୍ରୁପକ୍ଷର ଅସ୍ତ୍ରକୁ ଅକାମୀ କରିବାକୁ ସକ୍ଷମ। ଆଇଏନ୍‌ଏସ୍ ଭେଲାର ପୂର୍ବ ଅବତାର ଅଗଷ୍ଟ ୩୧, ୧୯୭୩ରେ ନୌସେନାରେ ସାମିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe