ନୂଆଦିଲ୍ଳୀ: ବିବେକ୍ ଅଗ୍ନିହୋତ୍ରୀଙ୍କ ନିର୍ମିତ ଚଳଚ୍ଚିତ୍ର ‘କଶ୍ମୀର ଫାଇଲ୍ସ’କୁ ଚାରିଆଡୁ ଗ୍ରହଣୀୟତା ମିଳିଥିବା ବେଳେ ତାହାକୁ ଏକ ‘ପ୍ରେପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର ବୋଲି କହିଛନ୍ତି ଇସ୍ରାଏଲ୍ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍ର ଜୁରି ହେଡ୍ ନାଦଭ ଲାପିଡ୍। ଯାହାକୁ ଏବେ ନିନ୍ଦା କରିଛନ୍ତି ଭାରତରେ ଅବସ୍ଥିତ ଇସ୍ରାଏଲ୍ର ରାଷ୍ଟ୍ରଦୂତ ନାଓର୍ ଗିଲନ୍।
ସେ ଟ୍ବିଟ୍ କରି ଲେଖିଛନ୍ତି, ‘‘କଶ୍ମୀର ଫାଇଲ୍ସକୁ ସମାଲୋଚନା କରିଥିବା ନାଦଭ ଲାପିଡ୍ଙ୍କୁ ମୋର ଖୋଲା ଚିଠି। ଏହା ହେବ୍ରିଓରେ ଲେଖୁନାହିଁ, କାରଣ ମୁଁ ଚାହୁଁଛି ମୋ ଭାରତୀୟ ଭାଇଭଉଣୀମାନେ ବି ବୁଝନ୍ତୁ ମୁଁ ଯାହା ଲେଖୁଛି। ଏହା ଅପେକ୍ଷାକୃତ ଦୀର୍ଘ ହୋଇଥିବାରୁ ମୁଁ ତୁମ ଉଦ୍ଦେଶ୍ୟରେ ପ୍ରଥମେ ‘ବଟନ୍ ଲାଇନ୍’ ଲେଖିବାକୁ ଚାହିଁବି ଯେ ‘ତୁମେ ଲଜ୍ଜିତ ହେବା ଉଚିତ’।
ଇତିହାସ ମଧ୍ୟରେ ଆବଶ୍ୟକୀୟ ଅଧ୍ୟୟନ ନକରି ଏପାରି ଭାବେ ମତାମତ ଦେବା ନିଶ୍ଚିତ ଭାବେ ଅସମ୍ବେଦନଶୀଳ ଓ ଅହଂକାର ଭାବ ବୋଲି ରାଷ୍ଟ୍ରଦୂତ ନାଓର୍ ଗିଲନ୍ ଆଇଏଫ୍ଏଫ୍ଆଇର ଜୁରି ନାଦଭ ଲାପିଡ୍ଙ୍କୁ ସମାଲୋଚନା କରି କହିଛନ୍ତି।
କାଶ୍ମୀର ଫାଇଲରେ ଦୃଶ୍ୟମାନ ହୋଇଥିବା ଘଟଣାଗୁଡ଼ିକ ଭାରତ ପାଇଁ ଗୋଟାଏ ଗୋଟାଏ କ୍ଷତ। ଯାହାର ମୂଲ୍ୟ ଏବେ ବି କିଛି ଲୋକ ଦେଇ ଚାଲିଛନ୍ତି। ନାଦଭ ଲାପିଡ୍ଙ୍କ ମନ୍ତବ୍ୟ ଅସମ୍ବେଦନଶୀଳ, ଯାହାର କୌଣସି ଯଥାର୍ଥତା ନାହିଁ ବୋଲି ନାଓର୍ ଗିଲନ୍ କହିଛନ୍ତି।
ଗତକାଲି ଗୋଆରେ ହେଉଥିବା ‘ଇଣ୍ଟର୍ନେସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆ)’ରେ ଜୁରି ହେଡ୍ ନାଦଭ ଲାପିଡ୍ ବିବେକ ଅଗ୍ନିହୋତ୍ରୀଙ୍କ ରେକର୍ଡ ବ୍ରେକର୍ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’କୁ ‘ପ୍ରେପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର ବୋଲି କହିବା ସହ ସେ ଆହୁରି ବି କହିଥିଲେ ଯେ ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି!’
Follow Us