Image Courtesy of Asian Age
ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦାର୍ ବଲ୍ଲଭଭାଇ ପଟେଲ୍ଙ୍କ ୧୪୬ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ତାଙ୍କରି ପ୍ରେରଣା ଯୋଗୁଁ ଆଜି ଭାରତ ବାହ୍ୟ ଓ ଅଭ୍ୟନ୍ତରୀଣ, ସମସ୍ତ ପ୍ରକାରର ଆହ୍ଵାନ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ସମର୍ଥ।
ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ତିଳ ତିଳ କରି ଜୀବନ ଉତ୍ସର୍ଗ କରିଥିବା ସର୍ଦାର୍ ପଟେଲ୍ ପ୍ରତି ଆଜି ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କେବଳ ଇତିହାସ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସର୍ଦାର୍ ପଟେଲ୍ଜୀ ଜୀବିତ ଅଛନ୍ତି।
ସମ୍ପ୍ରତି ‘ଜି୨୦’ ସମ୍ମିଳନୀରେ ଯୋଗଦେବାକୁ ରୋମ୍ରେ ଥିବା ପ୍ରଧାମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଏକତ୍ର ରହିଲେ ଆମର ଲକ୍ଷ୍ୟ ହାସଲ ହୋଇପାରିବ। ଭାରତ ଶକ୍ତ, ପୂର୍ଣ୍ଣ, ଅନ୍ତର୍ଦୃଷ୍ଟିସମ୍ପନ୍ନ, ସଜାଗ, ଶିଷ୍ଟ ଏବଂ ଉନ୍ନତ ହେଉ ବୋଲି ସର୍ଦାର ପଟେଲ ସର୍ବଦା ଚାହୁଁଥିଲେ। ସବୁବେଳେ ସେ ଜାତିର ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଉଥିଲେ।
Image Courtesy of Zee Newsପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଭାରତ କେବଳ ଗୋଟାଏ ଭୌଗୋଳିକ ଖଣ୍ଡ ନୁହେଁ, ପରିବର୍ତ୍ତନଶୀଳ ଚିନ୍ତାଧାରା, ପ୍ରତିବଦ୍ଧତା, ସଭ୍ୟତା ଏବଂ ସଂସ୍କୃତି ଭରା ଦେଶ। ୧୩୫ କୋଟି ଜନତା ବାସ କରୁଥିବା ଦେଶ ହେଉଛି ଆମ ଆତ୍ମା, ସ୍ୱପ୍ନ ଏବଂ ଆକାଙ୍କ୍ଷାର ଅବିଚ୍ଛେଦ୍ୟ ଅଂଶ। ଗଣତନ୍ତ୍ରର ମୂଳଦୁଆକୁ ସମୃଦ୍ଧ କରିବାରେ ପ୍ରତି ଭାରତୀୟଙ୍କର ଦାୟିତ୍ୱ ରହିଛି।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ପଟେଲ୍ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଜନ୍ମବାର୍ଷିକୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶ ଏକତା ସଙ୍କେତ ଭାବେ ସର୍ଦାର ପଟେଲ୍ ପ୍ରମୁଖ ଦେଶ ନିର୍ମାତାଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନର ଅଧିକାରୀ। ନୈତିକତା ଏବଂ ଦେଶସେବା ଆଧାରିତ କର୍ମ ସଂସ୍କୃତି ସଂସ୍ଥାପନା ନିମନ୍ତେ ସର୍ଦାର୍ ପଟେଲ୍ଙ୍କ ନିକଟରେ ଦେଶବାସୀ ଚିର ଋଣୀ।
ସେହିପରି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଗୁଜରାଟର କେଓ୍ଵାଡ଼ିଆରେ ‘ଷ୍ଟଚ୍ୟୁ ଅଫ୍ ୟୁନିଟି’ରେ ଶ୍ରଦ୍ଧାସୁମନ ଦେଇ ସର୍ଦାର୍ ପଟେଲ୍ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି।
‘ଏକତା ଦିବସ’ ପାଳନ ହେଉଥିବା ସର୍ଦାର୍ ପଟେଲ୍ଙ୍କ ଜୟନ୍ତୀ ଅବସରରେ ଆଜି ନୀତିନ ଗଡ଼କରୀ, ହରଦୀପ ସିଂହ ପୁରୀ ଏବଂ ପୀୟୂଷ ଗୋୟଲଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Follow Us