representetional immage - Times of India
ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ କାରିଗରୀ (ସ୍ୱାଧୀନ); ଭୂବିଜ୍ଞାନ (ସ୍ୱାଧୀନ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ‘ଯକ୍ଷ୍ମାମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପାଇଁ ସମନ୍ୱିତ ରଣନୀତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ୍-୧୯ ପାଇଁ ବିଶ୍ୱର ସର୍ବପ୍ରଥମ ଡିଏନ୍ଏ ଟିକା ବିକଶିତ କରିଥିବା ବାୟୋଟେକ୍ନୋଲୋଜି ବିଭାଗ ୨୦୨୫ ସୁଦ୍ଧା ‘ଯକ୍ଷ୍ମାମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ବାରାଣସୀଠାରେ ମାର୍ଚ୍ଚ ୨୪ରେ ଅନୁଷ୍ଠିତ ଏକ ବିଶ୍ୱ ଯକ୍ଷ୍ମା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ସିଂ ଇଣ୍ଡିଆନ୍ ଟ୍ୟୁବରୋକ୍ୟୁଲୋସିସ ଜିନୋମିକ ସର୍ଭିଲାନ୍ସ କସର୍ଟିଅମ (ଇନଟିଜିଏସ)ର ପାଇଲଟ୍ ପର୍ଯ୍ୟାୟ ଶୁଭାରମ୍ଭ ବିଷୟରେ ଘୋଷଣା କରିଥିଲେ।
ବାୟୋ ନେକ୍ସଟ୍ ଟେକ୍ ଇନୋଭେସନ୍ସଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂ ଯକ୍ଷ୍ମା ଚିକିତ୍ସା ପରିଣାମରେ ସୁଧାର ଦିଗରେ ଆରମ୍ଭ ହୋଇଥିବା ନୂଆ ଯୋଜନା ବିଷୟରେ ସୂଚନା ଦେଇଥିଲେ। ଡକ୍ଟର ସିଂ କହିଥିଲେ ଯେ ଯକ୍ଷ୍ମାର ଗଭୀର ସାମାଜିକ ଓ ଆର୍ଥିକ ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୫ ସୁଦ୍ଧା ‘ଟିବିମୁକ୍ତ ଭାରତ’ ଲକ୍ଷ୍ୟ ହାସଲକୁ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗତବର୍ଷର ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଯକ୍ଷ୍ମା ଉନ୍ମୁଳନ ପାଇଁ ତଥ୍ୟ ପରିଚାଳିତ ଗବେଷଣା – ‘ଡେୟାର ଟୁ ଇରା-ଡି ଟିବି’ ନାମକ ଏକ ପ୍ରମୁଖ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ଇନଟିଜିଏସ ହେଉଛି ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପାଦାନ। ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏଥିରେ ବାୟୋଟେକ୍ନୋଲୋଜି ବିଭାଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଯକ୍ଷ୍ମାର ୩୨୫୦୦ ଷ୍ଟ୍ରେନର ସମ୍ପୂର୍ଣ୍ଣ ଜିନୋମ ସିକୁଏନ୍ସିଂ ବା ଜିନ୍ ଅନୁଶୀଳନ ପାଇଁ ଡିବିଟି, ଆଇସିଏମଆର, ସିଏସଆଇଆର ଏବଂ ଅନ୍ୟ ଗବେଷଣା ଓ ବିକାଶ ପ୍ରତିଷ୍ଠାନଗୁଡ଼ିକର ଯୋଗଦାନ ରହିଛି।
Follow Us