Image Courtesy of India.com
ନୂଆଦିଲ୍ଲୀ: ମାହାମାରୀ କୋଭିଡ୍-୧୯ର ପ୍ରକୋପ ଯେତେ ବଢ଼ି ଚାଲିଛି, ବିମାନ ଚଳାଚଳ ସେତେ ମାତ୍ରାରେ ପ୍ରଭାବିତ ହୋଇଚାଲିଛି। ସଂକ୍ରମଣର ଦ୍ବିତୀୟ ଲହରରେ ଭାରତ ଭୀଷଣ କ୍ଷତିଗ୍ରସ୍ତ ହୋଇ ଚାଲିଥିବା ବେଳେ ଭାରତକୁ ବିମାନ ଚଳାଚଳ ବନ୍ଦ କରିବା ରାଷ୍ଟ୍ରର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଅଦ୍ୟାବଧି ୟୁକେ, ସଂଯୁକ୍ତ ଆରବ, କାନାଡ଼ା, କୁଏତ୍, ହଂକଂ, ଜର୍ମାନୀ, ଓମାନ୍ ଓ ବାଂଲାଦେଶ ପରି ଦେଶ ଭାରତକୁ ବିମାନ ଚଳାଚଳ ବନ୍ଦ ଘୋଷଣା କରିସାରିଛନ୍ତି।
ଏ ପରିପ୍ରେକ୍ଷୀରେ ପ୍ରତି ଦେଶର ବିମାନ ଚଳାଚଳ ପାଇଁ ରହିଥିବା ନୀତିନିୟମଗୁଡ଼ିକ ସାମ୍ପ୍ରତିକ ସ୍ଥିତିରେ ଜଟିଳ ହୋଇଚାଲିଛି। ତେବେ ସଂପୃକ୍ତ ନୀତିନିୟମଗୁଡ଼ିକ ସେମିତି ରହିଥିବ ଏବଂ ଆମକୁ ବିମାନଯାତ୍ରାର ପନ୍ଥା ବଦଳେଇବାକୁ ହେବ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ଦେଶରେ କୋଭିଡ୍ ସଂକ୍ରମଣ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରିତ ହୋଇଗଲା ପରେ ଜଣକୁ କିପରି ନିଜ ବିମାନଯାତ୍ରାରେ ପରିବର୍ତ୍ତନର ସାମନା କରିବାକୁ ହେବ ତାହା ହୃଦୟଙ୍ଗମ କରିବା ପାଇଁ ବିମାନ ଯାତ୍ରାର ରଣନୀତିକୁ ବୁଝିବା ଦରକାର।
ବର୍ତ୍ତମାନର ବିମାନ ରଣନୀତି ମୁଖ୍ୟତଃ ବଜାର ପ୍ରବେଶ ଉପରେ ପର୍ଯ୍ୟବସିତ। ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ବଜାର ଓ ଆପ୍ରବାସନ ପରସ୍ପର ପ୍ରତି ଗୁରୁତ୍ବ ଦେଇ ଆସୁଥିଲେ। କୌଣସି ଦେଶକୁ ବିମାନଯାତ୍ରା ପାଇଁ ଉଦ୍ଦିଷ୍ଟ ଭିସା ପାଇବା ନିମନ୍ତେ ଆଗରୁ ସ୍ବାସ୍ଥ୍ୟ ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗର ଆବଶ୍ୟକତା ନଥିଲା। ମାତ୍ର କୋଭିଡ୍ ପରଠାରୁ ତାହା ସବୁଦିନ ପାଇଁ ବଦଳିଯାଇପାରେ। ସେହିପରି ବିମାନ ଚଳାଚଳର ବଜାର ପ୍ରବେଶ ପଛରେ ପ୍ରତି ଦେଶର ଭୂତାଣୁ ମୂଳୋତ୍ପାଟନ ଯୋଜନା ଉପରେ ନିର୍ଭର କରେ। କାରଣ ପ୍ରତ୍ୟେକ ଦେଶ ବିମାନ ଯାତ୍ରାକୁ ଭିନ୍ନ ଢଙ୍ଗରେ ବିଚାର କରିଥାଏ। ସେହିପରି ଯାତ୍ରୀ ଏବଂ ସେ ଆସୁଥିବା ଦେଶକୁ ମଧ୍ୟ ଭିନ୍ନ ଦୃଷ୍ଟିରେ ଦେଖାଯାଇଥାଏ। ସେ ସବୁକୁ ଏକ ନିର୍ଦ୍ଧିଷ୍ଟ ମାନରେ ପ୍ରକାଶିତ କରିବା ଅସମ୍ଭବ। ତେଣୁ ଦେଶମାନଙ୍କ ପାଇଁ 'ଟିକା ପାସପୋର୍ଟ' ଓ 'ବବଲ୍ ଆରେଞ୍ଜମେଣ୍ଟ୍' ପରି ଦୁଇଟି ବ୍ୟବସ୍ଥା ଆପଣେଇବାକୁ ହେବ। ଟିକା ପାସ୍ପୋର୍ଟରେ ଜଣେ ଯାତ୍ରୀକୁ କୋଭିଡ୍ ପାଇଁ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ହେବ। ସେହିପରି ବବଲ୍ ଆରେଞ୍ଜମେଣ୍ଟ୍ରେ ଦୁଇ ଦେଶ ମଧ୍ୟରେ ନିୟମିତ ବିମାନ ଚଳାଚଳ ବନ୍ଦ ଥିବା ପରିପ୍ରେକ୍ଷୀରେ ସ୍ବତନ୍ତ୍ର ବ୍ୟାବସାୟିକ ବିମାନ ମାଧ୍ୟମରେ ଯାତ୍ରୀ ଚଳାଚଳ କରିପାରିବେ। ଏହା ଏକ ସାମୟିକ ସମାଧାନ ଯାହା କି ମହାମାରୀ ବେଳେ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା।
Follow Us