ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’ ଆରମ୍ଭ

ବିଶ୍ୱର କୋଣ ଅନୁକୋଣରୁ ଭାଗନେଲେ ଲକ୍ଷାଧିକ ଦର୍ଶକ

ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’ ଆରମ୍ଭ

ନୂଆଦିଲ୍ଲୀ : ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଆ ସମାଜ,ନୂଆଦିଲ୍ଲୀ ପକ୍ଷରୁ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆଜି ଆରମ୍ଭ ହୋଇଛି। କୋଭିଡ୍-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ଚଳିତ ମାସ ୨୭ ଏବଂ ୨୮ତାରିଖ ଦୁଇ ଦିନ ଆୟୋଜିତ ହୋଇଛି । ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ଲକ୍ଷାଧିକ ଦର୍ଶକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରା ଦେଖି ବିମୋହିତ ହୋଇଛନ୍ତି।

ଓଡ଼ିଆ ସମାଜ ନୂଆଦିଲ୍ଲୀର ସଭାପତି ସିଦ୍ଧାର୍ଥ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ‘ବନ୍ଦେ ଉତ୍କଳ ଜନନୀ’ରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ଦିବସର ପ୍ରଥମ ସନ୍ଧ୍ୟା। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ଡ.ରଘୁନାଥ ମହାପାତ୍ର, ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶ ତଥା ବିଶ୍ୱରେ ଥିବା ଓଡ଼ିଆଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରିବା ଓ ସମସ୍ତଙ୍କୁ ଓଡ଼ିଆ ମାଟିର ଭାବାବେଗ ସହ ଯୋଡ଼ିବାରେ ଓଡ଼ିଆ ସମାଜର ଉଦ୍ୟମ ପ୍ରଶଂସାଯୋଗ୍ୟ।

ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଶ୍ରୀ ମହାପାତ୍ର, କହିଥିଲେ ଯେ, ନୂତନ ଓଡ଼ିଶାରେ ବେଶ୍ ପରିବର୍ତ୍ତନ ଘଟିଛି। ଉତ୍କଳର କଳାସଂକୃତିକୁ ପ୍ରସିଦ୍ଧ କରିବାକୁ ହେଲେ ସ୍ଥପତି କଳାକୁ ସମଗ୍ର ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ପଡ଼ିବ ।

ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତି କହିଥିଲେ ଯେ, ଗତ ୪ ବର୍ଷ ମଧ୍ୟରେ ଓଡ଼ିଆ ସମାଜ ରାଜ୍ୟର ବହୁ ପ୍ରତିଭାଙ୍କୁ ଆଣି ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ପ୍ରଦାନ କରିଛି।

ଏହି ଅବସରରେ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ତଥା ପ୍ରାଚୀନ ନୃତ୍ୟ ଓ କଳା ଶଙ୍ଖଧ୍ୱନି, ମୁଖା ନୃତ୍ୟ, ରଣପା ନୃତ୍ୟ, ଓଡ଼ିଆ ଆସୋସିଏସନ, ଆମେରିକା ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ(ଧୁଡ଼ୁକୀ ନାଚ), ଲୋକନୃତ୍ୟ ‘ରଙ୍ଗବତୀ’ଆଦି ପରିବେଷଣ କରାଯାଇଥିଲା। ପାଇକ ବିଦ୍ରୋହର ସ୍ବର୍ଣ୍ଣିମ ଇତିହାସକୁ ସ୍ମରଣ କରିବା ପାଇଁ କଟକର ମୋକ୍ଷ ଡ୍ୟାନ୍ସ ଗ୍ରୂପ ଦ୍ୱାରା ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ପରିବେଷିତ ‘ମାଟିର ପୁଅ ପାଇକ ପୁଅ ବୀର ସଂଗ୍ରାମୀ’ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ ଏବଂ ପଦ୍ମଭୂଷଣ ସୁଦର୍ଶନ ସାହୁଙ୍କ ଚିଟ୍‌ଚାଟ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଜୀବନ କାହାଣୀ ଦର୍ଶକଙ୍କୁ ଅନୁପ୍ରାଣିତ କରିଥିବାବେଳେ ଉଷାରାଣୀ ତ୍ରିପାଠୀଙ୍କ କୁକ୍-ଟକ୍ ଦର୍ଶକଙ୍କୁ ଭିନ୍ନ ଅନୁଭୂତି ଆଣି ଦେଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ନନ୍ଦ କିଶୋର ପୃଷ୍ଟି, ସୁଶ୍ରୀ ପୂର୍ଣ୍ଣମାସୀ ଜାନୀ, ଶାନ୍ତି ଦେବୀ ଏବଂ ଡ. କୃଷ୍ଣ ମୋହନ ପାଠୀଙ୍କ ପ୍ରଦତ୍ତ ବାର୍ତ୍ତା ମଧ୍ୟ ରହିଥିଲା` ଚିକାଗୋରୁ ସୂରଜ ପଟ୍ଟନାୟକଙ୍କ କଣ୍ଠରେ ସୁମଧୁର ଭଜନ ଏବଂ ଓଲିଉଡ଼୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନ୍‌ ସିଂଙ୍କ ସହ କଣ୍ଠଶିଳ୍ପୀ ତପୁ ମିଶ୍ର, ଦୀପ୍ତିରେଖା, ଆଶୁତୋଷଙ୍କ ଦ୍ୱାରା ଆଧୁନିକ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe