ଲଣ୍ଡନ୍ : ରୁଷ୍ ଆକ୍ରମଣ ପରେ ୟୁକ୍ରେନ୍ରେ ଇଣ୍ଟରନେଟ୍ ସେବା ଅତି ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବାଞ୍ଚଳରେ ଯୁଦ୍ଧ ଅତି ଚରମ ସୀମାରେ ପହଞ୍ଚିଛି। ଏଠାରେ ଇଣ୍ଟରନେଟ୍ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ୟୁକ୍ରେନ୍ର ମୁଖ୍ୟ ଇଣ୍ଟରନେଟ୍ ପ୍ରୋଭାଇଡର୍ ଗିଗା ଟ୍ରାନ୍ସ୍କୁ ଯୋଗାଯୋଗ ସ୍ବାଭାବିକ ସ୍ତରଠାରୁ ୨୦ ପ୍ରତିଶତ ଖସି ଆସିଛି। ଫଳରେ ଇଣ୍ଟରନେଟ୍ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଇତି ମଧ୍ୟରେ ୟୁକ୍ରେନ୍ ଅଧିକାରୀମାନେ ବେଲାରୁସ୍ ସାଇବର୍ ଗୁଇନ୍ଦା ଅପରେସନ୍ ସଂକ୍ରାନ୍ତରେ ଅଧିକ ତଥ୍ୟ ଜାରି କରିଛନ୍ତି। କିବ୍ ବାହିନୀର ବ୍ୟକ୍ତିଗତ ଇମେଲ୍ ଆକାଉଣ୍ଟକୁ ଟାର୍ଗେଟ୍ କରାଯାଉଛି। ଏକ ଫେସବୁକ ପୋଷ୍ଟ୍ କରି ୟୁକ୍ରେନର କମ୍ପୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ କହିଛି, ହ୍ୟାକରମାନେ କେବଳ ୟୁକ୍ରେନ୍ ନାଗରିକଙ୍କୁ ଟାର୍ଗେଟ୍ କରୁନାହାନ୍ତି, ସେମାନେ ରୁଷ୍ ଏବଂ ବେଲାରୁସ୍ର ନାଗରିକଙ୍କୁ ବି ଟାର୍ଗେଟ୍ କରୁଛନ୍ତି।
YouTubeସାଇବର ଆକ୍ରମଣରେ ରୁଷ୍ର ସରକାରୀ ୱେବ୍ସାଇଟ୍ ଅଚଳ
ମସ୍କୋ : ସାଇବର ଆକ୍ରମଣ ଯୋଗୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମ୍ଲିନ୍ର ସରକାରୀ ୱେବ୍ସାଇଟ୍ ଶନିବାର ଡାଉନ ହୋଇଯାଇଥିଲା। ଏହା ପୂର୍ବରୁ ରୁଷିଆର ଅନ୍ୟ ସରକାରୀ ଓ ଷ୍ଟେଟ୍ ମିଡ଼ିଆ ୱେବ୍ସାଇଟ୍ଗୁଡ଼ିକ ମଧ୍ୟ ମାଲ୍ୱେୟାର ଆକ୍ରମଣ ଯୋଗୁ ଡାଉନ୍ ହୋଇଯାଇଥିବା ରିପୋର୍ଟ ଆସିଥିଲା। ୟୁକ୍ରେନ୍ ହ୍ୟାକର୍ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି।
ରୁଷ୍ର ସରକାରୀ ମିଡ଼ିଆ ଉପରେ ଫେସ୍ବୁକ୍ର କଟକଣା
ୱାସିଂଟନ : ରୁଷିଆର ରାଷ୍ଟ୍ରାୟତ ଗଣମାଧ୍ୟମ ଆଉ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରୁ ଅର୍ଥ ଉପାର୍ଜନ କରିପାରିବ ନାହିଁ। ରୁଷିଆର ୟୁକ୍ରେନ୍ ଆକ୍ରମଣ ପରିପ୍ରେକ୍ଷୀରେ ଫେସ୍ବୁକ୍ ଏପରି କଟକଣା ଲଗାଇଛି। ଫେସ୍ବୁକ୍ର ସୁରକ୍ଷା ନୀତି ମୁଖ୍ୟ ନାଥାନିଏଲ ଗ୍ଲିଚର ଟ୍ବିଟ୍ କରି କହିଛନ୍ତି, ରୁଷିଆର ସରକାରୀ ମିଡ଼ିଆ ଏଣିକି ଫେସ୍ବୁକ୍ ପ୍ଲାଟଫର୍ମରେ ବିଜ୍ଞାପନ ଦେଇପାରିବ ନାହିଁ କିମ୍ବା ସେଥିରୁ ଅର୍ଥ ଉପାର୍ଜନ କରିପାରିବ ନାହିଁ। ସୋସିଆଲ ମିଡ଼ିଆ ଅନେକ ସମୟରେ ୟୁକ୍ରେନ୍ ଯୁଦ୍ଧକୁ ବିଭିନ୍ନ ବିଭ୍ରାନ୍ତକାରୀ ଖବର ପ୍ରସାରଣ ମାଧ୍ୟମରେ ପ୍ରଭାବିତ କରୁଛି। ରୁଷୀୟ କର୍ତ୍ତୃପକ୍ଷ ଫେସ୍ବୁକ୍ରେ ପୋଷ୍ଟ କରାଯାଉଥିବା ତଥ୍ୟର ସତ୍ୟତା ପରୀକ୍ଷା ବ୍ୟବସ୍ଥା ବନ୍ଦ କରିବାକୁ ଆଦେଶ ଦେଇଥିବା ବେଳେ ଫେସ୍ବୁକ୍ ଏହାକୁ ଅଗ୍ରାହ୍ୟ କରିଦେଇଛି ବୋଲି ଗ୍ଲିଚର କହିଛନ୍ତି।
Follow Us