zeenews.india.com
ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ସିଂଘୁ, ଟିକ୍ରି ଏବଂ ଗାଜିପୁର୍ ସୀମାରେ ଗୃହ ବ୍ୟପାର ମନ୍ତ୍ରାଳୟ ପକ୍ଷରୁ ଆହୁରି ଦୁଇ ଦିନ ଇଣ୍ଟର୍ନେଟ୍ ସେବା ସ୍ଥଗିତ ରଖାଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଂଘୁ, ଟିକ୍ରି ଏବଂ ଗାଜିପୁର୍ ସୀମାରେ ଜାନୁଆରି ୩୧ ତାରିଖ ରାତି ୧୧ଟାରୁ ଫେବ୍ରୁଆରି ୨ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଆହୁରି ଦୁଇ ଦିନ ଇଣ୍ଟର୍ନେଟ୍ ସେବାକୁ ସ୍ଥଗିତ ରଖାଯାଇଛି।
ଗାଜିପୁରର ଆନ୍ଦୋଳନସ୍ଥଳୀରେ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି। ପୂର୍ବରୁ ଶନିବାର ଦିନ ସରକାର ସିଂଘୁ, ଟିକ୍ରି ଏବଂ ଗାଜିପୁର୍ ସୀମାରେ ଜାନୁଆରି ୨୯ରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଦୁଇ ଦିନ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।
ଉଲ୍ଲେଖଯୋଗ୍ୟ, କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହିଂସା ପରେ ଦିଲ୍ଲୀର ସିଂଘୁ, ଗାଜିପୁର ଓ ଟିକ୍ରି ସୀମାରେ ଆନ୍ଦୋଳନକାରୀ ପୂର୍ବପରି ରାସ୍ତା ଅବରୋଧ କରିବା ଜାରି ରଖିଥିଲେ। ଏହି ସବୁ ଅଂଚଳର ସ୍ଥାନୀୟ ବାସିନ୍ଦା ଚାଷୀଙ୍କୁ ବିରୋଧ କରିବା ହେତୁ ଆନ୍ଦୋଳନକାରୀ ଚାଷୀ ଓ ସ୍ଥାନୀୟ ଅଧିବାସୀଙ୍କ ଭିତରେ ହାତାହାତି ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶନିବାର ସୀମାଗୁଡ଼ିକୁ ଯୋଡୁଥିବା ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବା ନିଷ୍ପତ୍ତି ନେଇଥିଲେ।
Follow Us