Image Courtesy of NDTV
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୧ ତାରିଖରେ ‘ଡିସ୍କଭରି ପ୍ଲସ୍ ଆପ୍’ରେ ଏବଂ ସେପ୍ଟେମ୍ବର ୧୪ରେ ଡିସ୍କଭରି ଚାନେଲ୍ରେ ପ୍ରଦର୍ଶୀତ ହେବାକୁ ଯାଉଥିବା ‘ଇଣ୍ଟୁ ଦି ୱାଇଲ୍ଡ୍ ୱିଥ୍ ବେୟର୍ ଗ୍ରିଲ୍ସ୍’ର ଆଗାମୀ ଅଧ୍ୟାୟର ଟ୍ରେଲର୍ ସେୟାର୍ କରିଛନ୍ତି ଅଭିନେତା ଅକ୍ଷୟ କୁମାର। ଏଥିରେ ସେ ବ୍ରିଟିସ୍ ଅଭିଯାତ୍ରୀ ବେୟର୍ ଗ୍ରିଲ୍ସ୍ଙ୍କ ସହ ଅରଣ୍ୟ ଅଭିଯାନରେ ବାହାରିଥିବା ଦୃଶ୍ୟ ରହିଛି।
ଏ ବିଷୟରେ ଟୁଇଟି କରି ୫୨ ବର୍ଷିୟ ଅକ୍ଷୟ ଲେଖିଛନ୍ତି, ‘ଇଣ୍ଟୁ ଦି ୱାଇଲ୍ଡ୍…’ରେ ସମ୍ମୁଖୀନ ହେବାକୁ ଥିବା କଠିନ ଚାଲେଞ୍ଜ୍ ସବୁକୁ ମୁଁ ପୂର୍ବରୁ ପରିକଳ୍ପନା କରିସାରିଥିଲି। କିନ୍ତୁ, ବେୟର୍ ଗ୍ରିଲ୍ସ୍ ମତେ ‘ହାତୀ ମଳ ଚା’ ଦେଇ ଗୋଟାପଣ ଆବାକାବା କରି ପକାଇଲେ। କିଭଳି ଦିନଟିଏ।
ଏହି ଟ୍ରେଲର୍ରେ ଅକ୍ଷୟ ଏବଂ ବେୟର୍ ଗ୍ରିଲ୍ସ୍ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଅଭିଯାନରେ ଯାଇ କୁମ୍ଭୀର ଅଧ୍ୟୁଷିତ ନଈ ଅତିକ୍ରମ କରିବା ସହ ଆହୁରି ଅନେକ କିଛି କରୁଛନ୍ତି। ଏହି ଟ୍ରେଲର୍ର ଏକ ଦୃଶ୍ୟରେ ଅକ୍ଷୟ ଏବଂ ବେୟର୍ ଗ୍ରିଲ୍ସ୍ କୁଖ୍ୟାତ ‘ହାତୀ ମଳ ଚା’ ପାନ କରୁଥିବାର ଦେଖାଯାଉଛି। ଅକ୍ଷୟଙ୍କ ଧ୍ୟାନ ଭଙ୍ଗ କରିବା ପରେ ବେୟର୍ ଗ୍ରିଲ୍ସ୍ ଏହାକୁ ଫିଙ୍ଗି ଦେଉଛନ୍ତି।
ଏହି ଟ୍ରେଲର୍ରେ ଅକ୍ଷୟ ନିଜକୁ ‘ରିଲ୍ ହିରୋ’ ବୋଲି ବର୍ଣ୍ଣନା କରୁଥିବା ବେଳେ ବେୟର୍ ଗ୍ରିଲ୍ସ୍ଙ୍କୁ ‘ରିୟଲ୍ ହିରୋ’ ବୋଲି କହୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଇ ସମଗ୍ର ଅଭିସାର ମୁଁ ଅବଶିଷ୍ଟ ଜୀବନ ଜିଇଁଥିବା ପର୍ଯ୍ୟନ୍ତ ମନେରଖିବି।
ଏହି ସୋ’ ବିଷୟରେ ଗଣମାଧ୍ୟମକୁ ଅକ୍ଷୟ କୁମାର କହିଛନ୍ତି ଯେ, ସିନେମା ସେଟ୍ରେ ଯାହା ହୁଏ ଏହା ତା’ଠାରୁ ଭିନ୍ନ। ଏଠାରେ ବାସ୍ତବତାର ଦୃଶ୍ୟ ଆଧିପତ୍ୟ ବିସ୍ତାର କରୁଛି। ସୌର୍ଯ୍ୟ ଓ ତୃଷ୍ଣା ଲାଗି ସେ ବେୟର୍ ଗ୍ରିଲ୍ସ୍ଙ୍କୁ ସର୍ବଦା ପ୍ରଶଂସା କରନ୍ତି। ଏତେ ବର୍ଷ ଧରି ସେ ଏ ଦୁଇଟିକୁ ସମର୍ଥନ କରି ଆସିଛନ୍ତି। ଗୋଟିଏ ପରେ ଗୋଟିଏ ଆହ୍ବାନର ସମ୍ମୁଖୀନ କରାଇ ଚାଲିଥିବା ବେୟର୍ ଗ୍ରିଲ୍ସ୍ଙ୍କ ସହ ଅରଣ୍ୟ ଗମନ ଅନୁଭୂତି କଳ୍ପନାତୀତ।
ବେୟର୍ ମଧ୍ୟ ଅକ୍ଷୟଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି। ସେ କହିଛନ୍ତି, ଅକ୍ଷୟଙ୍କୁ ଭେଟିବା ପୂର୍ବରୁ ମୁଁ ଘରେ ଅନେକ କିଛି ପ୍ରସ୍ତୁତି କରିଥିଲି। ମୁଁ ଜାଣେ ସେ ଜଣେ ସୁପରଷ୍ଟାର। କିନ୍ତୁ, ଆମେ ଏକତ୍ର ସମୟ ବିତାଇବା ବେଳେ ତାଙ୍କର ନମ୍ରତା, ସହଜପଣିଆ ଅତ୍ୟନ୍ତ ଭାବବତ୍ସଳ ଦେଖି ମୁଁ ଆତ୍ମବିଭୋର ହୋଇଯାଇଥିଲି। ଫିଟ୍ନେସ୍ ନିଶା, ପରିବାର ବନ୍ଧୁ ପରିଜନଙ୍କ ପାଇଁ ଉତ୍ସର୍ଗପଣିଆ ସମେତ ଆମ୍ଭ ଦୁହିଁଙ୍କ ଠାରେ ଅନେକ ଜିନିଷର ମେଳ ବି ଥିଲା। ତାଙ୍କ ଗହଣରେ ସମୟ କଟାଇ ମୁଁ ବାସ୍ତବିକ ଆନନ୍ଦ ହୋଇଥିଲି। ନୂଆ ଚାଲେଞ୍ଜ୍ କଥା ଉଠିଲେ ଅକ୍ଷୟଙ୍କ ଆଖି ଦୀପ୍ତିମାନ ହୋଇ ଉଠେ। ଆପଣ ବିଶ୍ବାସ କରନ୍ତୁ, ସମଗ୍ର ବିଶ୍ବରେ ଅନେକ ସେଲିବ୍ରିଟିଙ୍କ ଠାରେ ଏହା ଦେଖାଯାଏ ନାହିଁ। ଅନେକ କଠିନ କାର୍ଯ୍ୟରେ ସେ ମୋତେ ସହଯୋଗ କରିଛନ୍ତି।
Follow Us