Times of India
ପ୍ରୟାଗରାଜ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଜଣେ ବଳାତ୍କାର-ପୀଡ଼ିତା ଯଦି ମାଜିଷ୍ଟ୍ରେଟ୍ଙ୍କ ଆଗରେ ଗୋଟିଏ ରେକର୍ଡେଡ୍ ବିବୃତି ଦେଇଥାଏ ଏବଂ ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଦେଇଥିବା ବିବୃତି ଯଦି ତା’ଠାରୁ ଭିନ୍ନ ହୁଏ, ତେବେ ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କୁ ସେ ବାବଦରେ କିଛି ପଚାରିପାରିବେନି। ଏଭଳି ପରିସ୍ଥିତିରେ ତଦନ୍ତକାରୀ ଅଫିସର ମଧ୍ୟ ତାଙ୍କ ବିବୃତି ପୁନଃ ରେକର୍ଡ କରି ତଦନ୍ତରେ ଆଗେଇ ପାରିବେନି। ଆଲୋଚ୍ୟ ମାମଲାରେ ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତା (ସିଆର୍ପିସି)ର ଧାରା ୧୬୧ ଅନୁସାରେ ପୀଡ଼ିତା ବଳାତ୍କାର ଅଭିଯୁକ୍ତଙ୍କ ବିରୋଧରେ ବୟାନ ରେକର୍ଡ କରାଇବା ପରେ ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ଆଗରେ ତାଙ୍କ ବୟାନ ବଦଳାଇଥିଲେ। ତା’ପରେ ତଦନ୍ତକାରୀ ଅଫିସର ଧାରା ୧୬୧ ଅନୁସାରେ ପୀଡ଼ିତାଙ୍କ ବୟାନ ଆଉଥରେ ରେକର୍ଡ କରିଥିଲେ ଏବଂ ତାଙ୍କୁ ବିବୃତି ବଦଳାଇବା ନେଇ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନ ଓ ତା’ର ଉତ୍ତରଗୁଡ଼ିକୁ ମଧ୍ୟ ସେ ରେକର୍ଡ କରିଥିଲେ।
ଏହା ଉପରେ ରାୟ ଦେଇ ଜଷ୍ଟିସ୍ ସମିତ ଗୋପାଲ କହିଲେ ଯେ, ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରେଟ୍ଙ୍କ ଆଗରେ ପୀଡ଼ିତା ଯେଉଁ ବୟାନ ଦେଇଛି, ତା’ର ଅଧିକ ଗୁରୁତ୍ବ ରହିଛି। ଧାରା ୧୬୧ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସେ ଦେଇଥିବା ବୟାନର ଗୁରୁତ୍ବ ଓ ପିବତ୍ରତା ତା’ଠାରୁ ଊଣା। ତଦନ୍ତକାରୀ ଅଫିସର ପୀଡ଼ିତାଙ୍କୁ ଅଧିକ ପ୍ରଶ୍ନ ପଚାରିବା ତାଙ୍କ ଅଧିକାର ବାହାରେ। ଏହାପରେ କୋର୍ଟ ଚାଲିଥିବା ତଦନ୍ତର ନୂତନ ଧାରା ଉପରେ ଦୃଷ୍ଟି ପକାଇବାକୁ ଏବଂ ବିଚାର ପ୍ରକ୍ରିୟାର ପବିତ୍ରତା ରକ୍ଷା ନିମନ୍ତେ ଉଚିତ ମାର୍ଗଦର୍ଶିକା ଜାରି କରିବାକୁ ଉତ୍ତରପ୍ରଦେଶ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Follow Us