IndiGo Photograph: (sambad.in)
ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଏୟାରଲାଇନ୍ ଇଣ୍ଡିଗୋ ବିରୋଧରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ କମ୍ପାନି ଶହଶହ ବିମାନର ଉଡ଼ାଣକୁ ଯେଉଁଭଳି ଭାବେ ବାତିଲ କରିଥିଲା ତାହାକୁ ଦୃଷ୍ଟିରେ ରଖି ଏହି ତଦନ୍ତ ହେବ। କମ୍ପାନି ବିରୋଧରେ ଅନୁଚିତ ବ୍ୟବସାୟ ଗତିବିଧି ଅଭିଯୋଗ ଆସିଛି। ସିସିଆଇ ଏହାର ୧୬ ପୃଷ୍ଠା ବିଶିଷ୍ଟ ଆଦେଶପତ୍ରରେ ଇଣ୍ଡିଗୋର କାର୍ଯ୍ୟପ୍ରଣାଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଆୟୋଗ କହିଛନ୍ତି ଯେ ନିଜ କ୍ଷମତାର ଏକ ବଡ଼ ଅଂଶ ବିମାନ ଉଡ଼ାଣକୁ ବାତିଲ କରିବାର ଅର୍ଥ ହେଉଛି ନିଜ ସେବାକୁ ଅଟକାଇଦେବା। ଯେତେବେଳେ ବହୁ ସଂଖ୍ୟାରେ ଯାତ୍ରୀ ଯାତାୟାତ କରୁଥିଲେ ସେହି ସମୟରେ ଏଭଳି ହୋଇଥିଲା। କମ୍ପାନି ଜାଣିଶୁଣି ଉଡ଼ାଣ ବାତିଲ କରି ବିମାନ ଉଡ଼ାଣର କୃତ୍ରିମ ଅଭାବ ସୃଷ୍ଟି କରିଥିଲା। ଏହାଦ୍ବାରା ଯାତ୍ରୀମାନେ ହଇରାଣ ହୋଇଥିଲା। ଏଭଳି କରି କମ୍ପାନି ପ୍ରତିଯୋଗିତା ନିୟମ ଉଲ୍ଲଂଘନ କରିଥିବା ସିସିଆଇ ଅଭିଯୋଗ କରିଛନ୍ତି। ୨୦୨୫ ଡିସେମ୍ବର ୨ରୁ ଇଣ୍ଡିଗୋ ଏହାର ଶହ ଶହ ବିମାନର ଉଡ଼ାଣକୁ ବାତିଲ କରିଥିଲା। ଫଳରେ ଦେଶବ୍ୟାପୀ ବିଭିନ୍ନ ବିମାନବନ୍ଦରରେ ହଜାର ହଜାର ଯାତ୍ରୀ ନାହିଁ ନଥିବା ଯନ୍ତ୍ରଣା ଭୋଗିଥିଲେ। ସେହି ସମସ୍ୟା ଏକ ସପ୍ତାହରୁ ଅଧିକ ସମୟ ଥିଲା। ତାପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଘଟିଥିଲା। ପାଇଲଟ୍ଙ୍କ ବିଶ୍ରାମ ଓ ଉଡ଼ାଣ ସମୟକୁ ନେଇ ସରକାର ଜାରି କରିଥିବା ଏକ ନିୟମ ପ୍ରଭାବରେ ଇଣ୍ଡିଗୋରେ ସଙ୍କଟ ଦେଖାଦେଇଥିଲା। ଗତବର୍ଷ ଡିସେମ୍ବର ୨-୯ ମଧ୍ୟରେ ଇଣ୍ଡିଗୋ ୪୫୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ କରିଥିଲା। ତାହା ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ୨୦୦୦ ବିମାନର ଉଡ଼ାଣ ଅହେତୁକ ବିଳମ୍ବ ହୋଇଥିଲା। ସେଥିପାଇଁ ବିଭିନ୍ନ ବିମାନବନ୍ଦରଗୁଡ଼ିକରେ ହଜାର ହଜାର ଯାତ୍ରୀ ନିଜ ପିଲାଛୁଆ, ବୟସ୍କ ପରିଜନ ଓ ବ୍ୟାଗ୍ପତ୍ର ସହ ଫସିରହିଥିଲେ।
ଗତବର୍ଷର ଡିସେମ୍ବର ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଶୀତ ଋତୁ ପାଇଁ ଉଦ୍ଦିଷ୍ଟ କମ୍ପାନିର ସିଡ୍ୟୁଲରେ ୧୦ ପ୍ରତିଶତ ହ୍ରାସ କରାଯାଇଥିଲା। ବଜାରରେ ଥିବା ଆଧିପତ୍ୟକୁ ଅପବ୍ୟବହାର କରି ଜାଣିଶୁଣି କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିଲା ନା ନାହିଁ ତାହା ଜାଣିବାକୁ ସିସିଆଇ ଉଦ୍ୟମ କରିବେ। ବେସାମରିକ ବିମାନ ଚଳାଚଳ ବଜାରରେ ଇଣ୍ଡିଗୋର ୬୪ ପ୍ରତିଶତ ଅଂଶ ରହିଛି। ଗତ କିଛି ମାସ ହେଲାଣି କମ୍ପାନି କ୍ରୁ ଅଭାବ, ଯୋଗାଣ ଶୃଙ୍ଖଳ ସମସ୍ୟା, କିଛି ବିମାନ ଠିଆ ହୋଇ ରହିବା ଭଳି ସମସ୍ୟା ସାମ୍ନା କରୁଛି।
Follow Us