ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: ସିବିଆଇ ହାଜତରେ ଆଉ ୨ ଦିନ ରହିବେ ଚିଦମ୍ବରମ୍

Advertisment
ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: ସିବିଆଇ ହାଜତରେ ଆଉ ୨ ଦିନ ରହିବେ ଚିଦମ୍ବରମ୍

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଆଜି ପୁଣି ସାମୟିକ ଆଶ୍ବସ୍ତି ମିଳିଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସେ ଅନ୍ତତଃ ତିହାର ଜେଲ୍ ଯିବାରୁ ବର୍ତ୍ତି ଯାଇଛନ୍ତି। ତାଙ୍କୁ ପଚରାଉଚୁରା କରୁଥିବା ସିବିଆଇ ହାଜତରେ ସେ ଆଉ ଦୁଇ ଦିନ ଅର୍ଥାତ ସେପ୍ଟେମ୍ବର ୫(ଗୁରୁବାର) ପର୍ଯ୍ୟନ୍ତ ରହିବେ। ଏଥିସହିତ ଚିଦମ୍ବରମଙ୍କ ଜାମିନ ପାଇଁ ଟ୍ରା‌ଏଲ କୋର୍ଟରେ ଯେଉଁ ଆବେଦନ ଗତକାଲି କରାଯାଇଛି ଏବଂ ଯାହାର ଶୁଣାଣି ଆଜି ହେବାକୁ ଥିଲା ସେ ନେଇ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କୌଣସି ଚାପ ନପକାଇବାକୁ ଚିଦମ୍ବରମଙ୍କ ଓକିଲଙ୍କୁ ସୁପ୍ରିମ୍‌ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଚିଦମ୍ବରମଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା ଏବଂ ପରେ ଟ୍ରାଏଲ କୋର୍ଟ ପକ୍ଷରୁ ସିବିଆଇକୁ ରିମାଣ୍ଡ ପ୍ରଦାନ ନେଇ ଟ୍ରାଏଲ କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ତାହାର ଶୁଣାଣି ସୁପ୍ରିମ କୋର୍ଟ ଆସନ୍ତା ଗୁରୁବାର କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ବିଚାରପତି ଆର. ବାନୁମତୀ ଏବଂ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଗୁରୁବାର କରିବା ପାଇଁ ଧାର୍ଯ୍ୟ କରିବା ବେଳେ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଟ୍ରା‌ଏଲ କୋର୍ଟର କ୍ଷମତା ଉପରେ ହସ୍ତକ୍ଷେପ ନକରିବା ନେଇ ଆମେ ମଧ୍ୟ ସଚେତନ ଅଛୁ। ମାମଲାର ଶୁଣାଣି ବେ‌ଳେ ପ୍ରଥମେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୋମବାର ସୁପ୍ରିମ କୋର୍ଟ ଦେଇଥିବା ଆଦେଶକୁ ପ୍ରତ୍ୟାହାର କରିନେବା ପାଇଁ ଅନୁରୋଧ କରିଥିଲେ। ଏହି ଆଦେଶକୁ ଭିତ୍ତିକରି ଚିଦମ୍ବରମଙ୍କ ଓକିଲ ଟ୍ରା‌ଏଲ କୋର୍ଟରେ ଅନ୍ତରୀଣ ଜାମିନ ‌ଆବେଦନ କରିଛନ୍ତି ବୋଲି ଶ୍ରୀ ମେହେଟ୍ଟା କହିଥିଲେ।

ଏହି ଆଦେଶ ବଳରେ ଚିଦମ୍ବରମଙ୍କ ଓକିଲ ଟ୍ରା‌ଏଲ କୋର୍ଟରେ ଜାମିନ ଆବେଦନ ଉପରେ ସୋମବାର ନିଷ୍ପତ୍ତି ନେବାକୁ ଚାପ ପକାଇଥିଲେ। ଟ୍ରାଏଲ କୋର୍ଟର ବିଚାରପତି ଏହା ଉପରେ ସିବିଆଇକୁ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମେହେଟ୍ଟା କହିଥିଲେ। ଶ୍ରୀ ମେହେଟ୍ଟାଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ଟ୍ରାଏଲ କୋର୍ଟରେ ଅନ୍ତରୀଣ ଜାମିନ ମାମଲାର ଶୁଣାଣି ଆସନ୍ତା ୫ ତାରିଖରେ ଧାର୍ଯ୍ୟ କରାଯିବ। ଏଥିସହିତ ସର୍ବୋଚ୍ଚ ଅଦାଲତ ମଧ୍ୟ ଚିଦମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ସେହିଦିନ କରିବେ। ବର୍ତ୍ତମାନର ସ୍ଥିତାବସ୍ଥା ସେବେପର୍ଯ୍ୟନ୍ତ ବଜାୟ ରହିବ। ଚିଦମ୍ବରମଙ୍କ ହାଜତ ମିଆଦ ଆସନ୍ତା ୫ ତାରିଖ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଖଣ୍ଡପୀଠ କହିଥିଲେ। ଏହାପରେ ଶ୍ରୀ ମେହେଟ୍ଟା କହିଥିଲେ, ଯଦି ଆମେ ତାଙ୍କୁ ହାଜତକୁ ନେବୁ ନାହିଁ ତାହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ।

ଚିଦମ୍ବରମଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘବୀ ଶ୍ରୀ ମେହେଟ୍ଟାଙ୍କ ଯୁକ୍ତିକୁ ବିରୋଧ କରିଥିଲେ। ବିଚାର ବିଭାଗୀୟ ହାଜତକୁ ଯାଇ ଚିଦମ୍ବରମ ଯଦି ଜଲେ ଗଲେ ତା’ହେଲେ ସୁପ୍ରିମ କୋର୍ଟରେ ସେ ଯେଉଁ ଆବେଦନ କରିଛନ୍ତି ତାହାର କୌଣସି ମାନେ ରହିବ ନାହିଁ। ସିବଲ ଏହା ମଧ୍ୟ କହିଥିଲେ, ଟ୍ରାଏଲ କୋର୍ଟରେ ସେମାନେ ଚିଦମ୍ବରମଙ୍କୁ ଅନ୍ତରୀଣ ଜାମିନ ‌ପ୍ରଦାନ ନେଇ ଆଜି କୌଣସି ଚାପ ପକାଇବେ ନାହିଁ। ଚିଦମ୍ବରମଙ୍କ ସିବିଆଇ ହାଜତ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଗତମାସ ୨୦ ତାରିଖରେ ଚିଦମ୍ବରମଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଥିଲେ। ଚିଦମ୍ବରମଙ୍କ ପକ୍ଷରୁ ଏନେଇ କରାଯାଇଥିବା ପୃଥକ ଆବେଦନର ରାୟ ମଧ୍ୟ ସୁପ୍ରିମ କୋର୍ଟ ଆସନ୍ତା ୫ ତାରିଖରେ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe