https://www.aljazeera.com/
ନୂଆଦିଲ୍ଳୀ: ଇରାନର କୁଦ୍ସ ସେନାର ମୁଖ୍ୟ ମେଜର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ହତ୍ୟା ପରେ ଆମେରିକୀୟ ସେନାକୁ ଆତଙ୍କବାଦୀ ଘୋଷଣା କରିଛି ଇରାନ। ସୁଲେମାନୀଙ୍କ ହତ୍ୟା ପରେ ପୂରା ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ପ୍ରତିଶୋଧପରାୟଣ ହୋଇ ଆକ୍ରମଣ କରିବା ପାଇଁ ଚିନ୍ତା କରିଥିବା ବେଳେ ଟ୍ରମ୍ପ୍ ମଧ୍ୟ ପାଲଟା ଜବାବ ଦେବାକୁ ଭିତରୁ ପ୍ରସ୍ତୁତ ହୋଇଛନ୍ତି। ଦିନକୁ ଦିନ ଇରାନ ଓ ଆମେରିକା ମଧ୍ୟରେ ଅଶାନ୍ତି ଉଗ୍ର ରୂପ ନେଉଛି।
ଏପରିକି ଗତ କାଲି ଇରାନର ଏକ ସଂଗଠନ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ହତ୍ୟା କଲେ ୮୦ ମିଲିୟନ୍ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିିଥିଲେ। ଟ୍ବିଟର୍ରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓରେ ଶୁଣିବାକୁ ମିଳିଛି ଯେ ଟ୍ରମ୍ପ୍ଙ୍କୁ ହତ୍ୟା କରିବାକୁ ଜଣେ ବ୍ୟକ୍ତି ପୁରସ୍କାର ରାଶି ଘୋଷଣା କରୁଛନ୍ତି। ଇରାନର ଜନସଂଖ୍ୟା ୮୦ ମିଲିୟନ୍ ହୋଇଥିବାରୁ ଆମେରିକୀୟ ଡଲାରରେ ପୁରସ୍କାର ରାଶି ଭାବେ ୮୦ ମିଲିୟନ ହିଁ ଘୋଷଣା କରିଛନ୍ତି ବ୍ୟକ୍ତି ଜଣକ।
ମଶାଦରେ ଅନୁଷ୍ଠିତ ସୁଲେମାନୀଙ୍କ ଶବଯାତ୍ରା ସମୟରେ ଜଣେ ବ୍ୟକ୍ତି ସେଠାରେ କହୁଛନ୍ତି କି, ‘ଆମେ ୮୦ ମିଲିୟନ୍ ଲୋକ। ସମସ୍ତେ ମିଶି ଗୋଟାଏ ଡଲାର ଦେଲେ ବି ସମୁଦାୟ ୮୦ ମିଲିୟନ୍ ଡଲାର ହେବ। ଆମେ ତାହାକୁ ଟ୍ରମ୍ପଙ୍କ ହତ୍ୟାକାରୀକୁ ପୁରସ୍କାର ଆକାରରେ ପ୍ରଦାନ କରିବୁ।’ ମାତ୍ର ଇରାନ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଇରାନ୍ର କମାଣ୍ଡର ଜେନେରାଲ କାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବାପରେ ଏବେ ଇରାନ୍ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଉଛି। ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଗତକାଲି ଇରାନ୍ ଘୋଷଣା କରିବା ସହ କୋମ୍ ସହରର ଏକ ମସ୍ଜିଦ୍ରେ ଲାଲ ପତାକା ଉଡ଼ାଇଥିଲା। ଏହି ଲାଲ ପତାକାକୁ ପ୍ରତିଶୋଧ ଏବଂ ଯୁଦ୍ଧର ସଙ୍କେତ ଭାବେ ଇରାନ୍ ଗ୍ରହଣ କରି ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛି। ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍ ଘୋଷଣା କରିଥିଲା ଯେ ଏହାର ଭୟଙ୍କର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ।
Follow Us