ଭାରତ ଆସୁଥିବା ରାଫେଲ୍ ବିମାନ ରାତ୍ର-ରହଣି କରିଥିବା ‘ୟୁଏଇ’ସ୍ଥିତ ଅଲ୍ ଦଫ୍ରା ଏୟାର୍‌ବେସ୍ ପାଖରେ ପଡ଼ିଲା ଇରାନ୍ ମିସାଇଲ୍‌: ରିପୋର୍ଟ

Advertisment
ରାଫେଲ ଡ଼ିଲ ଅନିୟମିତତାର ନିର୍ଦ୍ଦେଶକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

Image Courtesy of Zee News

ନୂଆଦିଲ୍ଲୀ: ଭାରତକୁ ଆସୁଥିବା ରାଫେଲ୍ ବିମାନ ମଙ୍ଗଳବାର ରାତ୍ର-ରହଣି କରିଥିବା ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ଥିତ ଅଲ୍ ଦଫ୍ରା ଏୟାର୍‌ବେସ୍ ପାଖରେ ଅନ୍ୟୂନ ତିନୋଟି ଇରାନୀୟ କ୍ଷେପଣାସ୍ତ୍ର  ପଡ଼ିଥିବା କଥା ଆମେରିକୀୟ ଗଣମାଧ୍ୟମ ରିପୋର୍ଟ କରିଛି। ସେଠାରେ ଇରାନ୍ ରିଭୋଲ୍ୟୁସ୍‌ନାରି ଗାର୍ଡମାନେ ଚଳାଇଥିବା ସାମରିକ ଅଭ୍ୟାସ ସମୟରେ ଏହି ‌କ୍ଷେପଣାସ୍ତ୍ର ନିକ୍ଷେପ ହୋଇଥିବା କୁହାଯାଉଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ସୋମବାର ଦିନ ଫ୍ରାନ୍‌ସ୍ ଉଡ଼ାଣ ଆରମ୍ଭ କରିଥିବା ପ୍ରଥମ ଛେକର ପାଞ୍ଚଟି ରାଫେଲ୍ ଲଢୁଆ ବିମାନ ମଙ୍ଗଳବାର ରାତିରେ ଅଲ୍ ଦଫ୍ରା ବିମାନଘାଟିରେ ଅବତରଣ କରି ରାତ୍ର ରହଣି କରିଥିଲା।

ଯୁକ୍ତରାଷ୍ଟ୍ର ଆମେରିକାର ନିଉଜ୍ ଚାନେଲ୍ ‘ସିଏନ୍‌ଏନ୍’ ରିପୋର୍ଟ କରିଛି ଯେ, ଉତ୍‌କ୍ଷେପଣ ହୋଇଥିବା ଏକ ଇରାନୀୟ କ୍ଷେପଣାସ୍ତ୍ର ସେ ଆଡ଼କୁ ମୁହାଁଉଛି ବୋଲି ଗୁଇନ୍ଦା ତରଫରୁ ସୂଚନା ମିଳିବା ପରେ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ଥିତ ଅଲ୍ ଦଫ୍ରା ଓ କ୍ବାତାରସ୍ଥିତ ଅଲ୍ ୟୁଦେଇଦ୍ ବିମାନଘାଟିରେ ସତର୍କ ସୂଚନା ଜାରି ହୋଇଥିଲା। କିନ୍ତୁ, ଦୁଇ ସ୍ଥାନରେ କୌଣସି କ୍ଷେପଣାସ୍ତ୍ର ପଡ଼ି ନ ଥିବା କଥା ସେଠାରେ ଥିବା କର୍ମଚାରୀମାନେ କହିଛନ୍ତି।

publive-image Image Courtesy of India Today

‘ଫକ୍ସ୍ ନିଉଜ୍’ ରିପୋର୍ଟ କରିଛି ଯେ, ଟୁଜ୍ ଘାଟି ନିକଟସ୍ଥ ଜଳରାଶିରେ ତିନୋଟି ଇରାନୀୟ କ୍ଷେପଣାସ୍ତ୍ର ପଡ଼ିବା ପରେ ଆମେରିକୀୟ ସୈନିକ ଏବଂ ବିମାନ ରହୁଥିବା ମଧ୍ୟପ୍ରାଚ୍ୟର ଏ ଦୁଇଟି ଘାଟିରେ ସତର୍କ ସୂଚନା ଜାରି କରାଯାଇଥିଲା। ଏହା ଇରାନ୍‌ର ସାମରିକ ଅଭ୍ୟାସ ଥିଲା ବୋଲି କୁହାଯାଉଥିଲେ ବି କ୍ଷେପଣାସ୍ତ୍ରଗୁଡ଼ିକ ଦୁଇ ବିମାନଘାଟିର ଯଥେଷ୍ଟ ନିକଟରେ ପଡ଼ିଥିଲା।

ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଏହାକୁ ଇରାନର ଦାୟିତ୍ବହୀନ କାର୍ଯ୍ୟ କହି ନିନ୍ଦା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe