Iran threat: China-India concerns grow, oil prices may skyrocket Photograph: (sambad.in)
ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି ପାଇଲେ ଇରାନ ଏହା କରିବ ବୋଲି ଅନୁମାନ କରାଯାଉଛି। ଏହି ପଦକ୍ଷେପ ତେଲ ମୂଲ୍ୟକୁ ଆକାଶଛୁଆଁ କରିବା ସହିତ ଏବଂ ଯୁଦ୍ଧ ବଢ଼ିବାର ଆଶଙ୍କା ସୃଷ୍ଟି କରିପାରେ। ଏହା ଏକ ରଣନୈତିକ ଜଳପଥ ଏବଂ ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏହି ରାସ୍ତା ଦେଇ ପରିବହନ ହୋଇଥାଏ। ଏହା ଭାରତ ଏବଂ ଚୀନ୍ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ଏବଂ ଚୀନ୍ ତେଲ ତଥା ଗ୍ୟାସ୍ ଆମଦାନୀ ଏବଂ ରପ୍ତାନି ପାଇଁ ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକ ନିର୍ଭରଶୀଳ। ଇରାନ ଏହି ରାସ୍ତା ବନ୍ଦ କରିବା ଦ୍ୱାରା ଭାରତ ଏବଂ ଚୀନ୍ରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରୁଛନ୍ତି।
ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କାରଣ ଭାରତର ୫୦ ପ୍ରତିଶତ ଏଲଏନଜି ଏବଂ ତୈଳ ଆମଦାନୀ ଏହି ରାସ୍ତା ଦେଇ ହୋଇଥାଏ। ରୁଷିଆ ସହିତ ଚୀନ୍ ମଧ୍ୟ ଏହି ରାସ୍ତା ଦେଇ ଇରାନରୁ ତେଲ ଆମଦାନୀ କରେ। ଏହା ବନ୍ଦ ହେବା ଦ୍ବାରା ଭାରତ ଏବଂ ଚୀନ୍ ସେମାନଙ୍କର ଆମଦାନୀ କରିବା ପାଇଁ ଅନ୍ୟ ଉପାୟ ଖୋଜିବାକୁ ପଡିବ, ଯାହା ଅନେକ ଗୁଣା ଅଧିକ ମହଙ୍ଗା ହୋଇପାରେ।
ଅଧିକ ପଢ଼ନ୍ତୁ: ଟ୍ରମ୍ପ୍ ଇରାନକୁ ଚେତାବନୀ ଦେବା ପରେ ଇରାକର ଆମେରିକୀୟ ଘାଟି ଉପରେ ବଡ଼ ଆକ୍ରମଣ
ହର୍ମୁଜ୍ ପ୍ରଣାଳୀ କେବଳ ଆମଦାନୀ ପାଇଁ ନୁହେଁ ବରଂ ରପ୍ତାନି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ହର୍ମୁଜ୍ ପ୍ରଣାଳୀ ଆରବ ସାଗରକୁ ପାରସ୍ୟ ସାଗର ସହିତ ସଂଯୋଗ କରେ। ଏହା ଗ୍ୱାଦର ବନ୍ଦରରୁ ୬୦୦ କିଲୋମିଟର ଏବଂ ଚାବାହାରରୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ। ଭାରତ ଏବଂ ଚୀନ୍ ଏହି ରାସ୍ତା ଦେଇ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ସେମାନଙ୍କର ଅଧିକାଂଶ ସାମଗ୍ରୀ ରପ୍ତାନି କରନ୍ତି।
ଚୀନ୍ ଇରାନ ଏବଂ ଇସ୍ରାଏଲର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା କରିବାକୁ ନିବେଦନ କରିଛି। ଭାରତ ମଧ୍ୟ ବଢୁଥିବା ବିବାଦ ଉପରେ ଗଭୀର ଚିନ୍ତା ପ୍ରକଟ କରିଛି ଏବଂ ଉଭୟ ପକ୍ଷକୁ ଉତ୍ତେଜନା ହ୍ରାସ କରିବାକୁ ତଥା ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛି।
ଅଧିକ ପଢ଼ନ୍ତୁ:ଭୁବନରେ କାୟା ମେଲାଉଛି ଡାଇରିଆ: ଜଣେ ମୃତ, ୪୧ ଆକ୍ରାନ୍ତ
israel | Israel Iran War | India | China
Follow Us