deal
ଜେନେଭା: ଆମେରିକା ଓ ଇରାନ ମଧ୍ୟରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତାବେଳେ ଦୁଇ ଦେଶ ମଧ୍ୟରେ ବୁଝାମଣା ପାଇଁ ଧାର୍ଯ୍ୟ ନୀତି ଉପରେ ସହମତି ପ୍ରକାଶ ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚି ଏନେଇ ସୂଚନା ଦେଇଛନ୍ତି। ଅରାଘାଚି ଦର୍ଶାଇଥିଲେ ଯେ, ୱାସିଂଟନ ସହିତ ଆଲୋଚନା ଗଠନମୂଳକ ଥିଲେ ମଧ୍ୟ, ଆହୁରି ଅଧିକ କାମ ବାକି ରହିଛି। ଆଲୋଚନା ଶେଷ ହେବା ପରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି ଯେ, ଉଭୟ ପକ୍ଷ ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ଡ୍ରାଫ୍ଟ ବିଷୟବସ୍ତୁ ଉପରେ ଆହୁରି କାମ କରିବାକୁ ରାଜି ହୋଇଛନ୍ତି। ଅରାଘଚି ଜାତୀୟ ଟିଭିକୁ କହିଥିଲେ ଯେ, ଧାର୍ଯ୍ୟ ନୀତିଗୁଡ଼ିକର ଏକ ସେଟ୍ ଉପରେ ବ୍ୟାପକ ସହମତିରେ ହୋଇପାରିଛି, ଯାହା ଉପରେ ଆଧାର କରି ଆମେ ଆଗକୁ ବଢ଼ିବୁ ଏବଂ ଏକ ସମ୍ଭାବ୍ୟ ଚୁକ୍ତିନାମାର ବିଷୟବସ୍ତୁ ଉପରେ କାମ ଆରମ୍ଭ କରିବୁ। ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ତାରିଖ ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି। ତେବେ ଏହାର ଅର୍ଥ ନୁହେଁ, କି ଆମେ ବୁଝାମଣାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ।
ଅନ୍ୟପକ୍ଷରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଇରାନ ଏପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିୟମ ସ୍ବୀକାର କରିନାହାନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ଶେଷ କରିବାକୁ ଟ୍ରମ୍ପଙ୍କ ‘ରେଡ୍ ଲାଇନ୍ସ’ର ଅଂଶ ବୋଲି କହିଛନ୍ତି। ଆମେରିକା ଅଧିକାରୀ କହିଛନ୍ତି ଯେ, କଥାବାର୍ତ୍ତାରେ ଅଗ୍ରଗତି ହୋଇଛି। କିନ୍ତୁ ଏବେବି ଅନେକ ବିଷୟରେ ଆଲୋଚନା ବାକି ରହିଛି। ଇରାନ ଆସନ୍ତା ଦୁଇ ସପ୍ତାହରେ ଅଧିକ ବିସ୍ତୃତ ପ୍ରସ୍ତାବ ନେଇଆସିବ, ଯାହାଦ୍ବାରା ଦୁଇ ପକ୍ଷ ମଧ୍ୟରେ ଥିବା ମତପାର୍ଥକ୍ୟ ଦୂର ହୋଇପାରିବ। ଭାନ୍ସ ଫକ୍ସ ନ୍ୟୁଜକୁ କହିଛନ୍ତି ଯେ, କିଛି ଦିଗରେ ଆଲୋଚନା ଭଲ ହୋଇଥିଲା। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ବାରା ନିର୍ଦ୍ଧାରିତ କଟକଣାକୁ ଇରାନ ଗ୍ରହଣ କରିବାକୁ ଏବଂ ସେ ଦିଗରେ କାମ କରିବାକୁ ପ୍ରସ୍ତୁତ ନାହିଁ। ଇରାନର ବାଲିଷ୍ଟିକ କାର୍ଯ୍ୟକ୍ରମ ଓ ଦେଶରେ ପ୍ରଦର୍ଶନକାରୀଙ୍କ ସହିତ କରାଯାଉଥିବା ବ୍ୟବହାର ଉପରେ ଆଲୋଚନା କରିବାକୁ ଟ୍ରମ୍ପ ପ୍ରଶାସନ ଚାହୁଁ ଥିବାବେଳେ ତେହେରାନ ଏହା ଉପରେ ଆଲୋଚନା କରିବାକୁ ଚାହୁଁ ନାହିଁ। ଆମେରିକା ପକ୍ଷରୁ ଆଲୋଚନା ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ୍ ୱିଟ୍କଫ୍ ଓ ଜେରାଡ କୁଶନର୍ କରୁଥିଲେ। ଅନ୍ୟପକ୍ଷରେ ଟ୍ରମ୍ପ ଗତ ସପ୍ତାହରେ ଫକ୍ସ ବିଜନେସ୍ ନେଟୱର୍କ ସହିତ କଥାବାର୍ତ୍ତାବେଳେ ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ନ ମିଳୁ ବୋଲି ଚାହୁଥିବା କହିଥିଲେ।
ଭାନ୍ସ ମଙ୍ଗଳବାର ଇରାନଙ୍କୁ ଟ୍ରମ୍ପଙ୍କ ସେହି ବୟାନ ଆଧାରରେ ଧମକାଇବାକୁ ଚେଷ୍ଟା କରିଥିଲେ। ଭାନ୍ସ କହିଥିଲେ, ଆମ ପାଖରେ ବହୁତ ଶକ୍ତିଶାଳୀ ସେନା ରହିଛି। ରାଷ୍ଟ୍ରପତି ଏହାର ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ପାଖରେ ଏକ ଉତ୍ତମ କୂଟନୈତିକ ଟିମ୍ ମଧ୍ୟ ଅଛି, ସେ ତା’ର ବ୍ୟବହାର କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ଇରାନ ଆତଙ୍କବାଦୀ ପ୍ରଯୋଜକ ନହେଉ ବୋଲି ଆମେ ଚାହୁଁଛୁ। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ମଙ୍ଗଳବାର ଆମେରିକାକୁ ଧମକ ଦେଇଥିଲେ। ଖେମିନି ‘ଏକ୍ସ’ରେ ଏକ ପୋଷ୍ଟ କରି ଆମେରିକାର ଯୁଦ୍ଧଜାହାଜକୁ ବୁଡ଼େଇ ଦେବାକୁ ଧମକ ଦେଇଛନ୍ତି।
Follow Us