ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଇର୍‌ଫାନ ଖାନ୍‌

Advertisment
ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଇର୍‌ଫାନ ଖାନ୍‌

LifeStyleAajKal

ମୁମ୍ବାଇ : ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ଦେଶ ଶୋକାକୁଳ ହୋଇପଡିଛି। ଦୀର୍ଘ ଦୁଇ ବର୍ଷ ଧରି କ୍ୟାନ୍‌ସର ଲଢେଇ କରି ଜୀବନ ସଂଗ୍ରାମରେ ଶେଷରେ ହାରିଯାଇଛନ୍ତି। ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଆମ୍ବାନି ହସ୍ପିଟାଲ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ସୁତପା ସିକ୍‌ଦାର, ଦୁଇ ପୁତ୍ର ବାବିଲ୍‌, ଆୟାନ୍‌ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ‌ହୋଇଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି।

୨୦୧୮ରେ ପ୍ରଥମେ ତାଙ୍କଠାରେ କ୍ୟାନ୍‌ସର ଚିହ୍ନଟ ହେବା ପରେ ସେ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ଏହାପରେ କ୍ୟାନ୍‌ସର ଚିକିତ୍ସା ପାଇଁ ତାଙ୍କୁ ବ୍ରିଟେନ୍‌ ଯିବାକୁ ପଡ଼ିଥିଲା। ଏକ ବର୍ଷ କାଳ ଚିକିତ୍ସିତ ହେବା ପରେ ଗତବର୍ଷ ସେ ଫେରିଥିଲେ। ଭାରତ ଫେରି 'ଅଂଗ୍ରେଜି ମିଡିୟମ୍‌' ଚଳଚ୍ଚିତ୍ର ସୁଟିଂ ଶେଷ କରିଥିଲେ। ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ଏହି ଚଳଚ୍ଚିତ୍ରର ପ୍ରମୋସନ ଉତ୍ସବରେ ଯୋଗ ଦେଇ ପାରିନଥିଲେ।

କୋଲୋନ୍‌ ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ତାଙ୍କୁ କୋକିଳାବେନ୍‌ ଧୀରୁଭାଇ ଆମ୍ବାନି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଇର୍‌ଫାନ୍‌ଙ୍କ ମା' ସୟିଦା ବେଗମ୍‌ଙ୍କର ଜୟପୁରଠାରେ ପରଲୋକ ହୋଇଥିଲା। ତେବେ କୋଭିଡ-୧୯ ଲକ୍‌ଡାଉନ୍‌ ଯୋଗୁଁ ଇର୍‌ଫାନ୍‌ ମା'ଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ‌ଯୋଗ ଦେବାକୁ ଯାଇ ପାରି ନଥିଲେ। ଇର୍‌ଫାନ୍‌ ପ୍ରଥମେ ୧୯୮୮ ମସିହାରେ ମୀରା ନାୟାରଙ୍କ 'ସଲାମ୍‌ ବମ୍ବେ' ଫିଲ୍ମରେ ଅଭିନୟ କରି ନିଜର ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ। ଇରଫାନ୍‌ 'ଜୁରାସିକ୍‌ ୱାର୍ଲ‌୍‌ଡ', 'ସ୍ଲମ୍‌ ଡଗ୍‌ ମିଲିଓନେୟାର' ଭଳି ଅନେକ ହଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ନିଖୁଣ ଅଭିନୟ ହିଁ ତାଙ୍କର ପରିଚୟ ଥିଲା।

ଇର୍‌ଫାନ୍‌ ୧୯୬୬ ମସିହା ଜାନୁଆରି ୭ରେ ରାଜସ୍ଥାନର ଜୟପୁରଠାରେ ଏକ ମୁସ୍‌ଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାଁ ଥିଲା 'ସାହାବ୍‌ଜାଦେ ଇର୍‌ଫାନ୍‌ ଅଲ୍ଲୀ ଖାନ୍‌। ସେ ଶହେରୁ ଊର୍ଦ୍ଧ୍ବ ହିନ୍ଦୀ ଚଳଚ୍ଚିତ୍ର ଓ ଟେଲି ସିନେମାରେ ଅଭିନୟ କରି ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe