Image Courtesy of India Today
ନୂଆଦିଲ୍ଲୀ: ‘ଇସ୍ଲାମିକ୍ ଷ୍ଟେଟ୍-ଖୋରାସାନ୍’ ରିଲିଜ୍ କରିଥିବା ତା’ର ପତ୍ରିକା ‘ଭଏସ୍ ଅଫ୍ ଖୁରାସାନ୍’ର ପ୍ରଥମ ସଂଖ୍ୟାର ପ୍ରଚ୍ଛଦ କାହାଣୀରେ ରହିଛି ଆତଙ୍କବାଦୀ ଆକ୍ରମଣ ପାଇଁ ୨୦୧୭ରେ ଭାରତକୁ ପଠାଯାଇଥିବା ଜଣେ ତରୁଣଙ୍କ ପ୍ରସଙ୍ଗ।
ଅବଶ୍ୟ ଉକ୍ତ ତରୁଣଙ୍କୁ ଭାରତୀୟ ଏଜେନ୍ସିମାନେ ଗିରଫ କରି ‘ୟୁଏସ୍ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ୍ ଏଜେନ୍ସି’କୁ (ସିଆଇଏ) ହସ୍ତାନ୍ତର କରିଥିଲେ। ଆଫଗାନିସ୍ତାର ମୂଳ ବାସିନ୍ଦା ଉକ୍ତ ତରୁଣଙ୍କୁ ୨୦୨୦ରେ ମୁକ୍ତ କରାଯାଇଥିଲା। ଏହା ପରେ ଆତ୍ମଘାତୀ ଆକ୍ରମଣ ପାଇଁ ତାଙ୍କୁ କାବୁଲ୍ ବିମାନ ବନ୍ଦରକୁ ପଠାଯାଇଥିଲା। ସେଠାରେ ସେ ଆତ୍ମଘାତୀ ବିସ୍ଫୋରଣ ଘଟାଇ ୧୩ଜଣ ଆମେରିକୀୟ ସୈନିକଙ୍କୁ ହତ୍ୟା କରିଥିଲା ବୋଲି ‘ଭଏସ୍ ଅଫ୍ ଖୁରାସାନ୍’ରେ ଉଲ୍ଲେଖ କରାଯାଇଛି।
ଏହି ପତ୍ରିକାରେ ଆତଙ୍କବାଦୀ ସଙ୍ଗଠନ ‘ଇସ୍ଲାମିକ୍ ଷ୍ଟେଟ୍-ଖୋରାସାନ୍’ ଆଫଗାନିସ୍ତାନରେ ତାଲିବାନ ରାଜୁତି ଏବଂ ଶାସକମାନଙ୍କ ବିରୋଧରେ ସେମାନେ ଏଯାବତ୍ କରିଆସିଥିବା ଆକ୍ରମଣ ବିଷୟରେ ଆଲୋଚନା କରିଛି।
Image Courtesy of India Todayକାବୁଲ୍ ବିମାନ ବନ୍ଦର ଆକ୍ରମଣରେ ଜଡ଼ିତ ଉକ୍ତ ଆତଙ୍କବାଦୀଜଣକ ଆତଙ୍କବାଦୀ ଆକ୍ରମଣ ପାଇଁ ୨୦୧୭ରେ ଦିଲ୍ଲୀ ଆସିଥିଲେ। କିନ୍ତୁ, ଆକ୍ରମଣ କରିବାର ୭ ଦିନ ପୂର୍ବରୁ ଭାରତୀୟ ଏଜେନ୍ସିମାନଙ୍କଦ୍ବାରା ଗିରଫ ହୋଇଥିଲେ। ‘ଭଏସ୍ ଅଫ୍ ଖୁରାସାନ୍’ ପତ୍ରିକାରେ ଏହି ଆକ୍ରମଣର ସବିଶେଷ ବିବରଣୀ ରହିଛି। ତରୁଣ ଆତଙ୍କବାଦୀ ଅବ୍ଦୁର୍ରହମନ୍ ଲାଗୋରି ୧୯୯୬ରେ ଆଫଗାନିସ୍ତାନରେ ଜନ୍ମ ହୋଇଥିଲେ ଏବଂ ପାକିସ୍ତାନରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ବୋଲି ଏହି ପତ୍ରିକାରେ ଉଲ୍ଲେଖ ଅଛି।
ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୧୬ରେ ଲାଗୋରି ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଖୋରାସନ୍ ଆତଙ୍କବାଦୀଙ୍କୁ ସାକ୍ଷାତ୍ କରିଥିଲେ ଏବଂ ପରେ ତାଙ୍କ ସହ ଯୋଗ ଦେଇଥିଲେ। ସେ ଆଗ୍ନେୟାସ୍ତ୍ର ପ୍ରୟୋଗ ତାଲିମ ନେବା ସହ ବୋମା ତିଆରି ଶିଖିଥିଲେ। ତାଲିମ ଶେଷ ହେବା ପରେ ସେ ଆମେରିକୀୟ ସୈନ୍ୟଙ୍କ ସହ ଲଢ଼ିବା ପାଇଁ ଉକ୍ତ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ହୋଇଯାଇଥିଲେ।
Follow Us