କଣ୍ଟ୍ରାକ୍ଟର୍‌ ଆତ୍ମହତ୍ୟା ମାମଲା: ଦୋଷୀ ବୋଲି ପ୍ରମାଣ ମିଳିଲେ ହିଁ ଈଶ୍ବରପ୍ପା ଇସ୍ତଫା ଦେବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ

Advertisment
କଣ୍ଟ୍ରାକ୍ଟର୍‌ ଆତ୍ମହତ୍ୟା ମାମଲା: ଦୋଷୀ ବୋଲି ପ୍ରମାଣ ମିଳିଲେ ହିଁ ଈଶ୍ବରପ୍ପା ଇସ୍ତଫା ଦେବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ

ବେଙ୍ଗାଲୁରୁ: ଦିନକୁ ଦିନ ଘନେଇବାରେ ଲାଗିଛି ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲା। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ତୋଷ ନିଜ ମୃତ୍ୟୁ ପାଇଁ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ। ଏବେ ସନ୍ତୋଷଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଈଶ୍ବରପ୍ପାଙ୍କ ବରଖାସ୍ତ ଦାବି କରିବା ଆରମ୍ଭ କରିଛି। ଆଜି ମନ୍ତ୍ରୀ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବି କରି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବା ପାଇଁ କଂଗ୍ରେସ ଯୋଜନା କରୁଥିବା ବେଳେ ପୁଲିସ କଂଗ୍ରେସ ନେତା ସିଦ୍ଧରମୈୟା, ରଣଦୀପ ସୁରଜେୱାଲା ଏବଂ ଡି.କେ ଶିବକୁମାରଙ୍କୁ ଗିରଫ କରିଛି।

ତେବେ ବିବାଦ ମଧ୍ୟରେ ବି ନିଜ ନିଷ୍ପତ୍ତି ବଦଳାଇନାହାନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ। ‌ଇଶ୍ୱରପ୍ପା ଦୋଷୀ ସାବ୍ୟସ୍ତ ହେଲେ ହିଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ସନ୍ତୋଷଙ୍କ ଶବବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ଆରମ୍ଭ ହେଉ। ଏହି ଅନୁସନ୍ଧାନର ଫଳାଫଳକୁ ଆଧାର କରି ଆମେ ଆଗକୁ କ’ଣ କରିବୁ ତାହା ସ୍ଥିର କରିବୁ।

ଏହି ପ୍ରସଙ୍ଗକୁ ନେଇ ଉପରୁ କୌଣସି ଚାପ ପକାଯାଉଛି କି ବୋଲି ପଚରାଯିବାରୁ ବୋମ୍ମାଇ କହିଛନ୍ତି, ମୁଁ କୌଣସି ପ୍ରକାରର ଚାପରେ ନାହିଁ। ହାଇ କମାଣ୍ଡର ଏହା ସହ କୌଣସି ସମ୍ପର୍କ ନାହିଁ। ଏହା କେବଳ ପ୍ରାଥମିକ ଅନୁସନ୍ଧାନ ଉପରେ ନିର୍ଭାର କରେ, ଯାହାକୁ  ଆଧାର କରି ନିଷ୍ପତ୍ତି ନିଆଯିବ।

ଈଶ୍ୱରପ୍ପା କ୍ୟାବିନେଟରେ ଥିବାବେଳେ ନିରପେକ୍ଷ ଅନୁସନ୍ଧାନ ସମ୍ଭବ ହେବ କି ନାହିଁ ବୋଲି ପଚରାଯିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ କିମ୍ବା ମୁଁ ଯାହା ଭାବୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଘଟଣାର ସତ୍ୟତା କ’ଣ, ଏହା ଗୁରୁତ୍ୱପୂର୍ଣ୍ଣ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିବା ଠିକାଦାର ସନ୍ତୋଷ ପାଟିଲ୍‌ ମଙ୍ଗଳବାର ଦିନ ଉଦୁପିର ଗୋଟାଏ ଲଜ୍‌ରୁ ମୃତାବସ୍ଥାରେ ମିଳିଥିଲେ। ଭାଇର ମୃତ୍ୟୁ ନିମନ୍ତେ ଈଶ୍ବରପ୍ପା ଦାୟୀ ବୋଲି ପ୍ରଶାନ୍ତ କହିଛନ୍ତି।

ସେ କହିଛନ୍ତି, ମୋ ଭାଇର ମୃତ୍ୟୁ ପାଇଁ ଈଶ୍ବରପ୍ପା ଦାୟୀ। ସେ ମୋ ଭାଇଙ୍କୁ ଲାଞ୍ଚ ଅର୍ଥାତ୍‌ କମିସନ୍‌ ମାଗୁଥିଲେ। ଏଥିଯୋଗୁଁ ସେ ମାନହାନୀ ମାମଲା ବି ଦାଏର କରିଥିଲେ।

କୁହାଯାଉଛି, ମୃତ୍ୟୁ ପୂର୍ବରୁ ସନ୍ତୋଷ ପାଟିଲ୍‌ ତାଙ୍କ ବନ୍ଧୁମାନଙ୍କ ନିକଟକୁ ‘ହ୍ବାଟସ୍‌ଆପ୍‌’ ବାର୍ତ୍ତା ପଠାଇଥିଲେ। ସେଥିରେ ସେ ଆତ୍ମହତ୍ୟା କରିବେ ଏବଂ ଏ ଭଳି ଚରମ ନିଷ୍ପତ୍ତି ନିମନ୍ତେ ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe