Tribune India
ଅମୃତସର: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ମହିଳା ଅଧିକାରୀଙ୍କ ଫାସରେ ପଡ଼ିଛନ୍ତି ଭାରତୀୟ ଯବାନ। ଆଇଏସଆଇର ଉକ୍ତ ମହିଳା ଅଧିକାରୀଙ୍କ ଜାଲରେ ପଡ଼ି ଭାରତୀୟ ସେନାର ଯବାନଜଣକ ଗୋପନ ସୂଚନା ପ୍ରଦାନ କରିଛନ୍ତି। ପଂଜାବ ପୁଲିସର ରାଜ୍ୟ ସ୍ବତନ୍ତ୍ର ଅପରେସନ ସେଲ୍ (ଏସ୍ଏସ୍ଓସି) ଏହି ସୀମାପାର ଗୁଇନ୍ଦା ରାକେଟ୍ର ପର୍ଦ୍ଦାଫାସ କରିବା ସହିତ ସଂପୃକ୍ତ ଯବାନଜଣଙ୍କୁ ଗିରଫ କରିଛି। ଦେଶ ବିରୋଧୀ କାର୍ଯ୍ୟ କରିଥିବା ଏହି ଯବାନ ଜଣକର ନାମ କ୍ରୁନାଲ କୁମାର ବାରିଆ ଏବଂ ତା’ର ଘର ଗୁଜରାଟର ପଂଚମହଲ ଜିଲ୍ଲାରେ। ବର୍ତ୍ତମାନ ସେ ଫିରୋଜପୁର କ୍ୟାଣ୍ଟନମେଣ୍ଟର ଆଇଟି ସେଲ୍ରେ କାର୍ଯ୍ୟ କରୁଛି। ସାମାଜିକ ଗଣମାଧ୍ୟମ ଆପ୍ ଜରିଆରେ ଯବାନ ଜଣକ ଆଇଏସଆଇର ମହିଳା ଗୁଇନ୍ଦା ଅଧିକାରୀଙ୍କ ସହ ସଂପର୍କରେ ରହି ସେନାର ଗୋପନ ସୂଚନା ପ୍ରଦାନ କରିଛି। ସୂଚନା ବଦଳରେ ଯବାନ ଜଣକ ପାକିସ୍ତାନ ଏଜେନ୍ସି ଦ୍ବାରା ଟଙ୍କା ପାଇଛି ବୋଲି ଏସ୍ଏସ୍ଓସି ପକ୍ଷରୁ ପ୍ରକାଶିତ ଇସ୍ତାହାରରେ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ମସିହାରେ ଫେସବୁକ୍ ଜରିଆରେ ଆଇଏସଆଇର ମହିଳା ଗୁଇନ୍ଦା ଅଧିକାରୀ ସିଦ୍ରା ଖାନ୍ ଓ ଭାରତୀୟ ଯବାନ ବାରିଆଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା। ପ୍ରଥମେ ଫେସବୁକ, ତା’ପରେ ମେସେଂଜର, ହ୍ବାଟ୍ସଆପ୍ ଏବଂ ଅନ୍ୟ କଲିଂ ଆପ୍କୁ ସେମାନେ ବ୍ୟବହାର କରି ଯୋଗାଯୋଗ ରଖିଥିଲେ। ଅଭିଯୁକ୍ତଜଣକ ସଂପୃକ୍ତ ମହିଳା ଅଧିକାରୀଙ୍କ ଦୁଇଟି ପାକିସ୍ତାନୀ ଟେଲିଫୋନ ନମ୍ବର ଏବଂ ଗୋଟିଏ ଭାରତୀୟ ଟେଲିଫୋନ ନମ୍ବର ମାଧ୍ୟମରେ ଯୋଗାଯୋଗରେ ରହୁଥିଲେ। ପ୍ରାରମ୍ଭିକ ଅନୁସନ୍ଧାନ ସମୟରେ ଅଭିଯୁକ୍ତଙ୍କ ଟେଲିଫୋନରୁ ଅନେକ ଗୋପନ ଦସ୍ତାବିଜ୍ ମିଳିଛି। ଅଭିଯୁକ୍ତ ବିରୋଧରେ ଅମୃତସରସ୍ଥିତ ଏସ୍ଏସ୍ଓସି ଥାନରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଛି। ଯବାନକୁ ଗିରଫ ସଂପର୍କରେ ସେନା କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଦ୍ବାରା ପ୍ରକୃତରେ କେତେ ସୂଚନା ଦିଆଯାଇଛି ବା କ୍ଷତି ହୋଇଛି ତାହାର ତଦନ୍ତ ଚାଲିଛି। ଅଭିଯୁକ୍ତଜଣକ ଏକାକୀ ଏହି କାର୍ଯ୍ୟରେ ସଂପୃକ୍ତ ଥିଲା କିମ୍ବା ଅନ୍ୟମାନଙ୍କୁ ନେଇ ଏହି କାର୍ଯ୍ୟ ଚଲାଇଥିଲା ତାହାର ଖୋଳତାଡ଼ ଚାଲିଛି ବୋଲି ଏସ୍ଏସ୍ଓସି ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି।
Follow Us