‘ଆଇଏସ୍ ଦମ୍ପତି’ଙ୍କୁ ୨୦ ବର୍ଷ ଜେଲ୍: ଦିଲ୍ଲୀରେ ‘୧୦୦ ବିସ୍ଫୋରଣ ଷଡ଼୍‌ଯନ୍ତ୍ର’

Advertisment
‘ଆଇଏସ୍ ଦମ୍ପତି’ଙ୍କୁ ୨୦ ବର୍ଷ ଜେଲ୍: ଦିଲ୍ଲୀରେ ‘୧୦୦ ବିସ୍ଫୋରଣ ଷଡ଼୍‌ଯନ୍ତ୍ର’

ନୂଆଦିଲ୍ଲୀ: ଦିଲ୍ଲୀରେ ଗୋଟିଏ ଦିନରେ ୧୦୦ରୁ ଅଧିକ ବିସ୍ଫୋରଣ ଘଟାଇବାକୁ ଷଡ଼୍‌ଯନ୍ତ୍ର ରଚିଥିବା ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀର ଏକ ଦମ୍ପତିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜହାନଜେବ ସାମି ଓ ହିନା ବଶିର ବେଗ ନାମରେ ପରିଚିତ ଏହି ଦମ୍ପତିଙ୍କ ଅନ୍ୟ ଏକାଧିକ ନାମ ରହିଛି। ୨୦୧୯ରେ ଜହାନଜେବ ସାମି ତାଙ୍କ ପତ୍ନୀ ହିନା ବଶିର ବେଗଙ୍କ ସହ ଜମ୍ମୁ-କାଶ୍ମୀରରୁ ଦିଲ୍ଲୀ ଆସିଥିଲେ। ଅକ୍ଟୋବର ୬ ତାରିଖରେ ଦୁହେଁ ବିବାହ କରିଥିଲେ - ଯେତେବେଳେ ଧାରା ୩୭୦ ଉଚ୍ଛେଦ ପରେ ଶ୍ରୀନଗରରେ ଲକ୍‌ଡାଉନ୍ ଜାରି ରହିଥିଲା ଏବଂ ଦୁଇ ସପ୍ତାହ ପରେ ଏହି ଦମ୍ପତି ଦିଲ୍ଲୀ ଚାଲିଯାଇଥିଲେ। ବିଟେକ୍ ଓ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ସାମି ବ୍ରିଟେନର ଏକ ସଂସ୍ଥାରେ କାମ କରୁଥିଲେ।

ବେଗ କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାତକ କରିବା ପରେ ଏମ୍‌ବିଏ କରିଥିଲେ। ସେହି ବର୍ଷ ବିବାହ ପାଇଁ ବିରତି ନେବା ପୂର୍ବରୁ ସେ କିଛି ବ୍ୟାଙ୍କରେ କାମ କରିଥିଲେ। ୩୦ ବର୍ଷ ବୟସର ଏହି ଦମ୍ପତି ଜାମିଆ ନଗରର ସି ବ୍ଲକ୍‌ରେ ଏକ ଫ୍ଲାଟ୍ ଭଡ଼ାରେ ନେଇଥିଲେ। ପ୍ରାରମ୍ଭରେ ସେମାନେ ସପ୍ତାହାନ୍ତରେ ସିନେମା ଦେଖିବା କିମ୍ବା ଓଖଲାରେ ଥିବା ପକ୍ଷୀ ଅଭୟାରଣ୍ୟ ପରିଦର୍ଶନରେ ସମୟ ବିତାଉଥିଲେ। କିନ୍ତୁ ଏହା ଅଧିକ ଦିନ ଚାଲି ନ ଥିଲା। ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଥିଲା ଏବଂ ଏହି ଦମ୍ପତି ଅଧିକାଂଶ ସମୟରେ ଘର ଭିତରେ ରହିଥିଲେ। କୋଭିଡ୍ କାରଣରୁ ପରବର୍ତ୍ତୀ ବର୍ଷ ବି କିଛି ଅଲଗା ନ ଥିଲା ଏବଂ ଦୁହେଁ ସେମାନଙ୍କର ଅଧିକାଂଶ ସମୟ ଇଣ୍ଟରନେଟ୍ ସର୍ଫିଂ କରିବାରେ ବିତାଇଥିଲେ। କିନ୍ତୁ ୨୦୨୦ ମାର୍ଚ୍ଚ ୮ ତାରିଖ ସକାଳେ ଦିଲ୍ଲୀ ପୁଲିସର ଆତଙ୍କବାଦ ନିରୋଧୀ ୟୁନିଟ୍‌ର ଅଧିକାରୀମାନେ ସେମାନଙ୍କ କବାଟ ବାଡ଼େଇଥିଲେ। ଏହି ଦମ୍ପତିଙ୍କୁ ଗିରଫ କରାଯାଇ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ସେମାନେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ସଦସ୍ୟ ଥିଲେ ଏବଂ ସିରିଆ ଓ ଆଫଗାନିସ୍ତାନରେ ରହୁଥିବା ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରୁଥିଲେ। ଉତ୍ତେଜନା ଭିତରେ ୧୦ ଦିନ ପରେ ଏହି ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର କରାଯାଇଥିଲା। ୪ ବର୍ଷ ୧ ମାସ ପରେ କୋର୍ଟ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସହରରେ ଗୋଟିଏ ଦିନରେ ୧୦୦ଟି ବିସ୍ଫୋରଣ ଘଟାଇବାକୁ ଷଡ଼୍‌ଯନ୍ତ୍ର କରିବା ଅଭିଯୋଗରେ ୩ରୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯାଇଥିବା ବେଳେ ବେଗଙ୍କୁ ୭ ବର୍ଷ ଲେଖାଏଁ ଦୁଇଟି ଦଣ୍ଡାଦେଶ ଦିଆଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଗିରଫ ହେବା ପୂର୍ବରୁ ଦୁହେଁ ଅନେକ ମାସ ଧରି ପୁଲିସ ନଜରରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe