ଯୁଦ୍ଧବିରତି ପ୍ରସ୍ତାବ ଗୃହୀତ ହେବା ପରେ ଇସ୍ରାଏଲ ସମର୍ଥନ ହରାଇବା ଆରମ୍ଭ କରିଛି: ବାଇଡେନ୍

Advertisment

ଜାତିସଂଘର ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ

ଜାତିସଂଘର ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ

ଯୁଦ୍ଧବିରତି ପ୍ରସ୍ତାବ ଗୃହୀତ ହେବା ପରେ ଇସ୍ରାଏଲ ସମର୍ଥନ ହରାଇବା ଆରମ୍ଭ କରିଛି: ବାଇଡେନ୍

ୱାସିଂଟନ: ଗାଜାରେ ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମାନବିକ ଅସ୍ତ୍ରବିରତି ପାଇଁ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ ସମେତ ୧୫୩ଟି ଦେଶ ଏହା ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ୧୦ଟି ଦେଶ ଏହା ବିରୋଧରେ ଭୋଟ୍ ଦେଇଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଏକାଧିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ମଞ୍ଚ ଖୋଜିବାରେ ସକ୍ଷମ ହୋଇଥିବାରୁ ଭାରତ ଏହାକୁ ସ୍ୱାଗତ କରୁଛି। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଗାଜାରେ ଆଖିବୁଜା ବୋମାମାଡ଼ ଯୋଗୁଁ ଇସ୍ରାଏଲ ଏବେ ବିଶ୍ୱସ୍ତରରେ ସମର୍ଥନ ହରାଇବା ଆରମ୍ଭ କରିଛି।

ଜାତିସଂଘ ସାଧାରଣ ସଭାରେ ଗାଜା ଅସ୍ତ୍ରବିରତି ସମ୍ପର୍କରେ ଏକ ସଂକଳ୍ପନାମା ପାରିତ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲକୁ ବର୍ତ୍ତମାନ ଆମେରିକା ଏବଂ ୟୁରୋପୀୟ ସଂଘ ସମେତ ବିଶ୍ୱର ଅଧିକାଂଶ ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ସେମାନେ ସେହି ସମର୍ଥନ ହରାଇବା ଆରମ୍ଭ କରିଛନ୍ତି। ଇସ୍ରାଏଲ ପ୍ରତି ପ୍ରତିକୂଳ ବିଶ୍ୱମତର ମୁଖ୍ୟ କାରଣ ଭାବେ ଆମେରିକା ରାଷ୍ଟ୍ରପତି ‘ଆଖିବୁଜା ବୋମାମାଡ଼’ ବୋଲି ଦର୍ଶାଇଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ ଗାଜାରେ ମାନବିକ ଅସ୍ତ୍ରବିରତି ଦାବିରେ ମତଦାନ ହୋଇଥିଲା। ଭାରତ ସମେତ ୧୫୩ଟି ଦେଶ ଏହାକୁ ସମର୍ଥନ କରିଥିବା ବେଳେ ୧୦ଟି ବିପକ୍ଷରେ ଭୋଟ୍ ଦେଇଥିଲେ ଏବଂ ୨୩ଟି ଦେଶ ଏଥିରୁ ଦୂରେଇ ରହିଥିଲେ। ଆମେରିକା, ଇସ୍ରାଏଲ, ଅଷ୍ଟ୍ରିଆ, ଚେକିଆ, ଗୁଆଟେମାଲା, ଲାଇବେରିଆ, ମାଇକ୍ରୋନେସିଆ, ନାଉରୁ, ପାପୁଆ ନ୍ୟୁ ଗିନି ଏବଂ ପାରାଗୁଏ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଅକ୍ଟୋବର ୨୭ରେ ଆରବ ପ୍ରାୟୋଜିତ ଏକ ସଂକଳ୍ପନାମା ତୁଳନାରେ ଏହି ପ୍ରସ୍ତାବକୁ ଅଧିକ ସମର୍ଥନ ମିଳିଥିଲା, ଯେଉଁଥିରେ ‘ମାନବିକ ଯୁଦ୍ଧବିରତି’ ପାଇଁ ଆହ୍ୱାନ ଦିଆଯାଇଥିଲା। ହମାସ ଉପରେ ଆକ୍ରମଣକୁ ତୀବ୍ର କରିବା ସହ ଇସ୍ରାଏଲ ଗାଜା ସୁଡ଼ଙ୍ଗରେ ସମୁଦ୍ର ପାଣି ଢାଳିବା ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ, ଗାଜା ସୁଡ଼ଙ୍ଗରେ ଇସ୍ରାଏଲର ବନ୍ଧକ ଅଛନ୍ତି କି ନାହିଁ ସେ ଜାଣିନାହାନ୍ତି। ଇତିମଧ୍ୟରେ ଇସ୍ରାଏଲ ଘୋଷଣା କରିଛି ଯେ ଗାଜାରେ ବନ୍ଦୀ ଥିବା ୧୩୫ ଜଣ ନାଗରିକଙ୍କ ମଧ୍ୟରୁ ୧୯ ଜଣ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମଧ୍ୟ କହିଛି ଯେ ତାଙ୍କ ସୈନିକମାନେ ତାଞ୍ଜାନିଆର ଜଣେ ନାଗରିକଙ୍କ ସମେତ ଦୁଇ ଜଣ ବନ୍ଧକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ହମାସକୁ ସମର୍ଥନ କରୁଥିବା ୟେମେନର ହାଉତି ମିଲିସିଆ ଲୋହିତ ସାଗରରେ ଥିବା ମାଲବାହୀ ଜାହାଜଗୁଡ଼ିକୁ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳକୁ ଯାତ୍ରା ନ କରିବାକୁ ଚେତାବନୀ ଦେଇଛି। ଇସ୍ରାଏଲର ଗାଜା ଉପରେ ବୋମାମାଡ଼କୁ ବିରୋଧ କରି ଇରାନ ସମର୍ଥିତ ଏହି ସଙ୍ଗଠନ ନରୱେର ଏକ ବାଣିଜ୍ୟିକ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ଦାବି କରିଛି। ସେପଟେ ଗାଜାରେ ତୁରନ୍ତ ମାନବିକ ଅସ୍ତ୍ରବିରତି ପାଇଁ ଜାତିସଂଘର ଦାବିକୁ ହମାସ ସ୍ୱାଗତ କରିବା ସହ ଏହି ସଂକଳ୍ପନାମାକୁ ପାଳନ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛି ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ସଦ୍ୟତମ ଆକଳନ ଅନୁଯାୟୀ, ଅକ୍ଟୋବର ୭ ତାରିଖରୁ ହମାସକୁ ମୂଳପୋଛ କରିବା ପାଇଁ ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ଅନେକ ଶିଶୁଙ୍କ ସମେତ ଅତି କମରେ ୧୮,୨୦୫ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି ଏବଂ ପାଖାପାଖି ୫୦,୦୦୦ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe