Netanyahu follows Trump's footsteps Photograph: (sambad.in)
ଜେରୁଜେଲମ: ୭ଟି ଅନ୍ତର୍ଜାତୀୟ ସଂସ୍ଥା ଏବଂ ସଂଗଠନ ସହିତ ସମସ୍ତ ସମ୍ପର୍କ ଶେଷ କରୁଛି ବୋଲି ଇସ୍ରାଏଲ ସମ୍ପ୍ରତି ଘୋଷଣା କରିଛି। ଏହି ସଂଗଠନଗୁଡ଼ିକ ମଧ୍ୟରୁ ଛଅଟି ଜାତିସଂଘ ସହିତ ଜଡିତ। ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ, ଏହି ସଂଗଠନଗୁଡ଼ିକ ଇସ୍ରାଏଲ ପ୍ରତି ପକ୍ଷପାତପୂର୍ଣ୍ଣ ଏବଂ ଶତ୍ରୁତା ମନୋଭାବ ଗ୍ରହଣ କରିଛନ୍ତି।
ଆମେରିକା ମଧ୍ୟ ୬୬ଟି ଜାତିସଂଘ ସଂଗଠନ ଛାଡିଥିଲା
ପୂର୍ବରୁ ଆମେରିକା ମଧ୍ୟ ୬୬ଟି ଜାତିସଂଘ ସଂଗଠନ ଛାଡିବା ନେଇ ଘୋଷଣା କରିଥିଲା। ବୈଦେଶିକ ମନ୍ତ୍ରଣାଳୟ ଏହା ସୂଚିତ କରିଛି ଯେ, ଭବିଷ୍ୟତରେ ଅନ୍ୟ ସଂଗଠନଗୁଡ଼ିକ ବିରୋଧରେ ସମାନ ନିଷ୍ପତ୍ତି ନିଆଯାଇପାରେ। ଇସ୍ରାଏଲ ସ୍ପଷ୍ଟ କରିଛି, କିଛି ଜାତିସଂଘ ଏଜେନ୍ସି ସହିତ ସମ୍ପର୍କ ପୂର୍ବରୁ ସମାପ୍ତ ହୋଇସାରିଛି। ସେଥିମଧ୍ୟରେ ସଶସ୍ତ୍ର ସଂଘର୍ଷରେ ଶିଶୁମାନଙ୍କ ଉପରେ ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧିଙ୍କ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ୨୦୨୪ରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କୁ କଳା ତାଲିକା ଭୁକ୍ତ କରିଥିଲା। ଏହି ତାଲିକାରେ ଇସ୍ରାଏଲ ଏକମାତ୍ର ଗଣତାନ୍ତ୍ରିକ ଦେଶ ବୋଲି କହିଛି ଯେଉଁଥିରେ ଆଇଏସ୍ଆଇଏସ୍ ଓ ବୋକୋ ହରାମ ଭଳି କୁଖ୍ୟାତ ଆତଙ୍କବାଦୀ ସଂଗଠନ ମଧ୍ୟ ଅନ୍ତର୍ଭୁକ୍ତ। ଏହି କାରଣରୁ, ଇସ୍ରାଏଲ ଜୁନ୍ ୨୦୨୪ ରେ ପ୍ରକ୍ଷପାତିତା ଅଭିଯୋଗ ଆଣି ଆନୁଷ୍ଠାନିକ ଭାବରେ ଏହି ଜାତିସଂଘ ସହିତ ସମ୍ପର୍କ ଛିନ୍ନ କରିଥିଲା। ଦ୍ୱିତୀୟ ପ୍ରମୁଖ ସଂଗଠନ ହେଉଛି ଜାତିସଂଘ ମହିଳା ସଂଗଠନ। ଇସ୍ରାଏଲ ଅଭିଯୋଗ କରିଛି ଯେ, ସଂଗଠନ ୭ ଅକ୍ଟୋବର ୨୦୨୩ରେ ହମାସ ଆକ୍ରମଣ ସମୟରେ ଇସ୍ରାଏଲୀ ମହିଳାମାନଙ୍କ ବିରୋଧରେ ଯୌନ ହିଂସାର ଘଟଣାକୁ ଅଣଦେଖା କରିଥିଲା ​​ତଥା ଏହାକୁ ଗମ୍ଭୀରତାର ସହିତ ନେଇନଥିଲା।
ଇସ୍ରାଏଲୀ ଚାପ ପରେ, ଜାତିସଂଘ ମହିଳା ସଂଗଠନର ସ୍ଥାନୀୟ ମୁଖ୍ୟଙ୍କୁ ହଟାଇ ଦିଆଯାଇଥିଲା। ଏହା ସତ୍ତ୍ୱେ, ଜୁଲାଇ ୨୦୨୪ରେ, ଇସ୍ରାଏଲ ଜାତିସଂଘର ମହାସଚିବଙ୍କୁ ଜଣାଇଥିଲା, ଆମେ ସଂଗଠନ ସହିତ ସମସ୍ତ ସହଯୋଗ ବନ୍ଦ କରୁଛୁ। ସେହିପରି ଇସ୍ରାଏଲ ଦୀର୍ଘ ଦିନ ଧରି ଜାତିସଂଘ ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନ୍ସିଟିଏଡି) ଓ ପଶ୍ଚିମ ଏସିଆ ପାଇଁ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ କମିଶନ (ଇଏସ୍ସିଡବ୍ଲୁଏ) ଠାରୁ ଦୂରତା ବଜାୟ ରଖିଛି। ଇସ୍ରାଏଲ ଅଭିଯୋଗ କରିଛି, ଏହି ସଂସ୍ଥାଗୁଡ଼ିକ ସମାଲୋଚନାମୂଳକ ରିପୋର୍ଟ ଜାରି କରିଛନ୍ତି। ଇସ୍ରାଏଲ ତିନୋଟି ଅନ୍ୟ ସଂଗଠନ ସହିତ ସମ୍ପର୍କ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ୟୁଏନ୍ ଅଲାଏନ୍ସ ଅଫ୍ ଭିଭିଲାଇଜେସନ, ଜାତିସଂଘ ଶକ୍ତି, ଓ ପ୍ରବାସ ଏବଂ ବିକାଶ ଗ୍ଲୋବାଲ୍ ଫୋରମ୍ ସହିତ ଆନୁଷ୍ଠାନିକ ଭାବରେ ସମ୍ପର୍କ ଛିନ୍ନ କରିଛି। ଇସ୍ରାଏଲ କହିଛି, ଏହି ଫୋରମ୍ ଗୁଡ଼ିକୁ ଆମ ବିରୋଧରେ ବ୍ୟବହାର କରାଯାଉଛି।
Follow Us