ୱାସିଂଟନ: ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ଥାୟୀ ଅସ୍ତ୍ରବିରତି ନେଇ ଏପର୍ଯ୍ୟନ୍ତ କୌଣସି ବୁଝାମଣା ହୋଇନାହିଁ ବୋଲି ହ୍ୱାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି। ତେବେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପାଇଁ ଆମେରିକା କାର୍ଯ୍ୟ ଜାରି ରଖିଛି ବୋଲି ମୁଖପାତ୍ର କହିଛନ୍ତି। ହ୍ୱାଇଟ୍ ହାଉସ୍ର ଜାତୀୟ ନିରାପତ୍ତା ପରିଷଦ ମୁଖପାତ୍ର ଆଡ୍ରିନ୍ ଓ୍ୱାଟସନ୍ ଏକ ବିବୃତ୍ତିରେ କହିଛନ୍ତି, ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। କିନ୍ତୁ ଆମେ ଚୁକ୍ତି ପାଇଁ ଉଦ୍ୟମ ଜାରି ରଖିଛୁ। ଶନିବାର ରାତିରେ ୱାସିଂଟନ ପୋଷ୍ଟ ରିପୋର୍ଟ କରିଥିଲା ଯେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ କତର ମଧ୍ୟସ୍ଥତାରେ ଏକ ୫ ଦିନିଆ ଅସ୍ତ୍ରବିରତି ଚୁକ୍ତି ହୋଇଛି। ୫୦ କିମ୍ବା ତା’ଠାରୁ ଅଧିକ ପଣବନ୍ଦୀଙ୍କ ବଦଳରେ ଉକ୍ତ ଅସ୍ତ୍ରବିରତି ଚୁକ୍ତି ହୋଇଛି। ଅକ୍ଟୋବର ୭ ତାରିଖରେ ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଉକ୍ତ ଆକ୍ରମଣରେ ଇସ୍ରାଏଲର ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୪୦ ଜଣଙ୍କୁ ହମାସ୍ ବନ୍ଧକ ରଖିଥିବା ଇସ୍ରାଏଲ କହିଛି। ଅନ୍ୟପକ୍ଷରେ ଇସ୍ରାଏଲର ଆକ୍ରମଣ ସପ୍ତମ ସପ୍ତାହରେ ପହଂଚି ଥିବାବେଳେ ହମାସ୍ ଶାସିତ ଗାଜା ଷ୍ଟ୍ରିପ୍ରେ ମୃତ୍ୟୁସଂଖ୍ୟା ୧୨,୩୦୦କୁ ବୃଦ୍ଧି ପାଇଛି, ଯେଉଁଥିରେ ୫,୦୦୦ ଶିଶୁ ଅଛନ୍ତି। ଏୟାର ଷ୍ଟ୍ରାଇକ୍ରେ ଉତ୍ତର ଗାଜାକୁ ଛାରଖାର କରିବା ପରେ ଦକ୍ଷିଣ ଗାଜାରେ ହମାସ୍ ଆତଙ୍କବାଦୀଙ୍କ ବିରୋଧରେ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଛି।
ଇସ୍ରାଏଲ-ହମାସ୍ ଅସ୍ଥାୟୀ ଅସ୍ତ୍ରବିରତି ଚୁକ୍ତି ହୋଇନାହିଁ: ଆମେରିକା
Advertisment
Follow Us