ଗାଜା : ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନକୁ ଜୋରଦାର କରିବା ସହ ଏବେ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଇସ୍ରାଏଲ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗତ ୨୪ ଘଣ୍ଟାରେ ଉତ୍ତର ଗାଜାରେ ଯେଉଁ ବିମାନ ଆକ୍ରମଣ ଅଭିଯାନ ଜାରି ରହିଛି ତା’ ତୁଳନାରେ ସ୍ଥଳ ଅଭିଯାନ ଆହୁରି ଭୟଙ୍କର ହେବ। ଅନ୍ୟପକ୍ଷେ ହମାସ ଗୋଷ୍ଠୀ ଆଜି ଦୃଢ଼ ପ୍ରତିଜ୍ଞା କରି କହିଛି ଯେ ହମାସ ସଦସ୍ୟମାନେ ଇସ୍ରାଏଲ ଆକ୍ରମଣର ପୂର୍ଣ୍ଣ କ୍ଷମତାରେ ଜବାବ ଦେବେ। ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲୀ ଟ୍ୟାଙ୍କ୍ରୁ ଅନବରତ ଗୁଳିମାଡ଼ ହେଉଛି। ଗତ କିଛିଦିନ ଧରି ଗାଜାରେ ଯେଉଁ ଆକ୍ରମଣ ଜାରି ରହିଥିଲା ତାହା ଅତି ତୀବ୍ର ରୂପ ନେଇଛି। ଇସ୍ରାଏଲ ସ୍ଥଳ ବାହିନୀ ରାତିରେ ଗାଜାରେ ସେମାନଙ୍କ ଅପରେସନ୍ ବ୍ୟାପକ କରିଛନ୍ତି ବୋଲି ଇସ୍ରାଏଲ ସେନା ମୁଖପାତ୍ର ରିୟର ଆଡମିରାଲ ଡାନିଏଲ କହିଛନ୍ତି। ଯୁଦ୍ଧ ମଧ୍ୟରେ ଗାଜାରେ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ ହୋଇଯାଇଛି ଏବଂ ସମଗ୍ର ଅଂଚଳ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହୋଇଛି। ବ୍ଲାକଆଉଟ୍ ପାଇଁ ୨.୩ ନିୟୁତ ଲୋକ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।
ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଉତ୍ତର ଗାଜାରେ ୧୫୦ଟି ଅଣ୍ଡରଗ୍ରାଉଣ୍ଡ୍ ଟାର୍ଗେଟ୍ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କୀ ସୁଡ଼ଙ୍ଗ, ଭୂତଳ ଯୁଦ୍ଧ ସ୍ଥଳ ଏବଂ ଅତିରିକ୍ତ ଭୂତଳ ଭିତ୍ତିଭୂମି ଉପରେ ଗତକାଲି ରାତିସାରା ଇସ୍ରାଏଲ ସେନା ଆକ୍ରମଣ କରିଛି। ଏଥିରେ ଅନେକ ହମାସ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅନୁଯାୟୀ ହମାସ ଗୋଷ୍ଠୀର ଏରିଏଲ ମୁଖ୍ୟ ଅସେମ ଅବୁ ରକବାକୁ ନିପାତ କରାଯାଇଛି। ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣର ଯୋଜନାରେ ସମ୍ପୃକ୍ତ ଥିଲା ଏବଂ ପାରାଗ୍ଲାଇଡରରେ ଇସ୍ରାଏଲରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ସେ କମାଣ୍ଡ ଦେଇଥିଲା। ଆଇଡିଏଫ୍ ପୋଷ୍ଟ୍ ଉପରେ ଡ୍ରୋନ୍ ଆକ୍ରମଣ ପାଇଁ ମଧ୍ୟ ସେ ଦାୟୀ। ଗାଜା ଷ୍ଟ୍ରିପ୍ରେ ଶନିବାର ମଧ୍ୟ ଗୁଳିଗୋଳା ବର୍ଷା ଏବଂ ବିମାନ ଆକ୍ରମଣ ଜାରି ରହିଛି। ହମାସ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୭,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ଇସ୍ରାଏଲ ଯୁଦ୍ଧ କ୍ୟାବିନେଟ୍ ଦ୍ବାରା ଗାଜାରେ ସ୍ଥଳ ଅଭିଯାନ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଇସ୍ରାଏଲ ସେନା ମୁଖପାତ୍ର ଉତ୍ତର ଗାଜାରେ ନାଗରିକଙ୍କୁ ଦକ୍ଷିଣ ଗାଜା ଚାଲିଯିବାପାଇଁ ପୁନର୍ବାର କହିଛନ୍ତି ଏବଂ ସ୍ଥିତିରେ ପରିବର୍ତ୍ତନ ଆସିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି କହିଛନ୍ତି।
Follow Us