Image Courtesy of New York Post
ଜେରୁଜେଲମ୍: ଇସ୍ରାଏଲ୍ ସଙ୍ଗୀତ ମହୋତ୍ସବ ‘ନେଚର୍ ପାର୍ଟି’କୁ ଯାଇଥିବା ଜଣେ ଯୁବତୀ ହମାସ୍ ଆକ୍ରମଣ ବେଳେ ଶବଗଦା ଭିତରେ ଦୀର୍ଘ ୭ ଘଣ୍ଟା କାଳ ଆତ୍ମଗୋପନ କରି ଜୀବନ ରକ୍ଷା କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ସାରା ରାତି ଚାଲିଥିବା ଉକ୍ତ ସଙ୍ଗୀତ ମହୋତ୍ସବ ଦେଖିବାକୁ ଲି ସାସି ନାମ୍ନୀ ସେ ଯୁବତୀଙ୍କ ଭଳି ପ୍ରାୟ ୩୦୦୦ ଇସ୍ରାଏଲୀ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଯୁବା ବୟସର। ପାହାନ୍ତା ପହର ବେଳକୁ ‘ନେଚର୍ ପାର୍ଟି’ ଉପରେ ହମାସ୍ ଆତଙ୍କବାଦୀମାନେ ଅତର୍କିତ ଓ ଆକସ୍ମିକ ଆକ୍ରମଣ କରିବାରୁ ଦର୍ଶକମାନେ ଜୀବନ ବିକଳେ ଯିଏ ଯୁଆଡ଼େ ଧାଇଁଲେ।
ସାସି ଏବଂ ଆଉ ପ୍ରାୟ ୩୫ଜଣ ଗୋଟାଏ ବଙ୍କର୍ ଭିତରେ ଆଶ୍ରୟ ନେଇଥିଲେ। ଦୁର୍ଯୋଗକୁ ହମାସ୍ ଆତଙ୍କବାଦୀମାନେ ସେମାନଙ୍କୁ ଦେଖି ଦେଇ ନିର୍ବିଚାର ଭାବେ ଗୁଳି ଚଳାଇଲେ।
Image Courtesy of New York Postବଙ୍କର୍ ଆଶ୍ରୟୀମାନଙ୍କ ମଧ୍ୟରୁ ଜୀବିତ ଥିବା ୧୦ଜଣଙ୍କ ଭିତରେ ସାସି ହେଉଛନ୍ତି ଅନ୍ୟତମ। ଏଭଳି ଭୟାବହ ଆକ୍ରମଣ ବେଳେ ସେମାନେ ବଙ୍କର୍ ଭିତରେ ପଡ଼ିଥିବା ଶବ ତଳେ ବହୁସମୟ ଲୁଚି ରହି ଜୀବନ ରକ୍ଷା କରିପାରିଥିବା ସୂଚନା ଦେଇଛନ୍ତି। ଏକଥା ନିଜେ ସାସି ‘ମେସେଜ୍’ କରି ଜଣେ ବନ୍ଧୁଙ୍କୁ ସେୟାର୍ କରିଥିଲେ। ତାଙ୍କର ସେ ବନ୍ଧୁ ‘ଆଇଟ୍ବେଣ୍ଟିଫୋର୍ନିଉଜ୍’ର ରିପୋର୍ଟର ନାତାଶା ରାକ୍ବେଲ୍ କିର୍ତଚୁକ୍ ଗଟ୍ମାନ୍ଙ୍କୁ ‘ଇନ୍ଷ୍ଟାଗ୍ରାମ୍’ରେ ଏକଥା ସେୟାର୍ କରିଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭୟ ଉଦ୍ରେକକାରୀ ଭିଡିଓରେ ଦେଖାଯାଉଛି, ଅଫେରିଆ ଜାଗାରେ ଲୋକେ ଖୁନ୍ଦାଖୁନ୍ଦି ହୋଇ ପଶି ରହିଛନ୍ତି। କେତେକ ସେଠାରେ ମରିପଡ଼ିଥିବା ଲୋକଙ୍କ ଶବ ତଳେ ଲୁଚି ରହିଛନ୍ତି।
ତାଙ୍କର ସେ ବନ୍ଧୁଙ୍କୁ ସାସି କହିଛନ୍ତି ଯେ, ସେମାନେ ଆଶ୍ରୟ ନେଇଥିବା ବଙ୍କର୍ ଭିତରକୁ ଆତଙ୍କବାଦୀମାନେ ପ୍ରାୟ ୧୦୦୦ ଗୁଳି ଚଳାଇଥିଲେ। ପ୍ରାୟ ୭ ଘଣ୍ଟା ପରେ ସାସି ଇସ୍ରାଏଲ୍ରେ ଥିବା ତାଙ୍କ ଆତ୍ମୀୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ଆତ୍ମୀୟମାନେ ଏକ୍ସ୍-‘ଆଇଡିଏଫ୍’ ଯବାନ ପଠାଇ ସାସି ଓ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ।
Follow Us