ଗାଜାରେ ପଶିଲା‌ ଇସ୍ରାଏଲୀ ଟ୍ୟାଙ୍କ୍‌

Advertisment

ଇସ୍ରାଏଲ ବୋମାମାଡ଼ରେ ୫୦ ପଣବନ୍ଦୀ ମୃତ: ହମାସ୍‌

ଇସ୍ରାଏଲ ବୋମାମାଡ଼ରେ ୫୦ ପଣବନ୍ଦୀ ମୃତ: ହମାସ୍‌

ଗାଜାରେ ପଶିଲା‌ ଇସ୍ରାଏଲୀ ଟ୍ୟାଙ୍କ୍‌

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତରାତିରେ ଟାର୍ଗେଟ୍‌ ରେଡ୍‌ କରିଛି। ୫୦ରୁ ଅଧିକ ହମାସ ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ଟ୍ୟାଙ୍କ୍‌ ପ୍ରବେଶ କରି ହମାସ ଗୋଷ୍ଠୀର ବିଭିନ୍ନ ଆଡ଼ାସ୍ଥଳ ଉପରେ ଆକ୍ରମଣ କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଭିତ୍ତିଭୂମି, ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ ଲଞ୍ଚ୍‌ ପୋଷ୍ଟ୍‌ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି। ଇସ୍ରାଏଲ ସେନା ପକ୍ଷରୁ ଏନେଇ ଏକ ଅନଲାଇନ୍‌ ବିବୃତି ଜାରି କରି କୁହାଯାଇଛି ଯେ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧର ପ୍ରସ୍ତୁତି ପୂର୍ବକ ଉତ୍ତର ଗାଜାରେ ଏହି ଅପରେସନ୍‌ କରାଯାଇଛି। ତେବେ ଇସ୍ରାଏଲ ସେନା କେତେକ ଟାର୍ଗେଟ୍‌ ଧ୍ବଂସ କରିବା ପରେ ଉକ୍ତ ଅଞ୍ଚଳ ଛାଡ଼ି ଇସ୍ରାଏଲ ପରିସରକୁ ଚାଲି ଆସିଥିବା ସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ହମାସ୍‌ କହିଛି, ଇସ୍ରାଏଲର ବିମାନ ଆକ୍ରମଣରେ ୫୦ ଜଣ ଇସ୍ରାଏଲୀ ବନ୍ଦୀ ନିହତ ହୋଇଛନ୍ତି। ବିଭିନ୍ନ ଅଂଚଳରେ ଚାଲିଥିବା ବେପରୁଆ ବୋମାମାଡ଼ର ଏହାର ପରିଣାମ ବୋଲି ହମାସ୍‌ କହିଛି। ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସକୁ ରାସ୍ତାରୁ ହଟାଇବାପାଇଁ ଇସ୍ରାଏଲ ଗାଜାରେ ଖୁବ୍‌ଶୀଘ୍ର ସ୍ଥଳ ଅଭିଯାନ ଆରମ୍ଭ କରିବ। କିନ୍ତୁ କେବେ ଅପରେସନ ଆରମ୍ଭ ହେବ ସେନେଇ ନେତାନ୍ୟାହୁ କିଛି ସ୍ପଷ୍ଟ କରିନାହାନ୍ତି। ଇତିମଧ୍ୟରେ ଇସ୍ରାଏଲ ବିମାନ ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ରେ ଜଣେ ଶୀର୍ଷ ହମାସ କମା‌ଣ୍ଡର ହାସନ ଅଲ ଅବଦୁଲ୍ଲା ନିପାତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ଦାବି ହୋଇଛି। ସେହିପରି ଇସ୍ରାଏଲ ଆକ୍ରମଣରେ ଗାଜାରେ ୭,୦୨୮ ଜଣଙ୍କ ମୃତ୍ୟୁ ହୋଇଛି ‌ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଦାବି ହୋଇଛି। ଏମାନଙ୍କ ମଧ୍ୟରେ ୨,୯୧୩ ଜଣ ଶିଶୁ ଅଛନ୍ତି। ହମାସ ଆତଙ୍କବାଦୀ ଗୋଷ୍ଠୀ ୨୨୪ ଜଣ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ ରଖିଥିବା ଇସ୍ରାଏଲ ସେନା କହିଛି। ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିପାରେ। ଇତିମଧ୍ୟରେ ବାଇଡେନ ପ୍ରଶାସନ ଗାଜାକୁ ଅଧିକ ମାନବୀୟ ସହାୟତା ପଠାଇବାପାଇଁ ଯୁଦ୍ଧବିରତି ଅନୁରୋଧ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ୍‌ ସହ ଏ ସଂପର୍କରେ ଆଲୋଚନା କରିଥିବା କହିଛନ୍ତି।। ଗାଜାକୁ ମାନବୀୟ ସହାୟତା ବୃଦ୍ଧି କରିବାପାଇଁ ଏବଂ ନିରୀହ ନାଗରିକଙ୍କ ଜୀବନ ବଞ୍ଚାଇବାପାଇଁ ଯୁଦ୍ଧବିରତି କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe