ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ ଜାରି: ସିରିୟାରେ ଆମେରିକାର ବିମାନ ଆକ୍ରମଣ

Advertisment
ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ ଜାରି: ସିରିୟାରେ ଆମେରିକାର ବିମାନ ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧକୁ ୨୦ ଦିନ ବିତିଯାଇଛି। ଦିନକୁ ଦିନ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଇସ୍ରାଏଲ ସେନା ଲଗାତାର ଦ୍ବିତୀୟ ଦିନରେ ଉତ୍ତର ଗାଜାରେ ପ୍ରବେଶ କରି ହମାସ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ଜାରି ‌ହୋଇଛି। ଇତିମଧ୍ୟରେ ଆମେରିକା ପୂର୍ବ ସିରିୟାରେ ବିମାନ ଆକ୍ରମଣ କରିଛି। ସିରିୟାରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଶିବିର ଉପରେ ଆମେରିକା ଯୁଦ୍ଧଜାହାଜ ବୋମାବର୍ଷା କରିଛି।

ଉଲ୍ଲେଖଯୋଗ୍ୟ, ଇରାନ୍‌ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଗୁରୁବାର ଉତ୍ତର ଇରାକ୍‌ରେ ଆମେରିକାର ଏକ ସେନା ଘାଟି ଉପରେ ୨ଥର ସୁଇସାଇଡ୍‌ ଡ୍ରୋନ୍‌ ଆକ୍ରମଣ କରିବା ପ‌ରେ ଆମେରିକା ଏହାର ଜବାବରେ ସିରିୟାରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରିଛି। ଇରବିଲ ସହରର ବିମାନବନ୍ଦର ନିକଟରେ ଆମେରିକାର ଏକ ସେନା ଘାଟି ଉପରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ ରେସିଷ୍ଟାନ୍ସ ଆକ୍ରମଣ କରିଛି ବୋଲି ଦାବି କରିବାପରେ ଆମେରିକା ଏହାପରେ ବିମାନ ଆକ୍ରମଣ କରିଛି। ଏପରିକି ଗତ ସପ୍ତାହରେ ମଧ୍ୟ ଇରାକ ଏବଂ ସିରିୟାରେ ଆମେରିକାର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ଆମେରିକା ରଷ୍ଟ୍ରପତି ଜୋ ବାଇଡେନ କଡ଼ା ବାର୍ତ୍ତା ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଆମେରିକା ସୈନିକଙ୍କୁ ଟା‌ର୍ଗେଟ୍‌ କରିବାକୁ ବିରୋଧ କରି ବାଇଡେନ ଆୟାତୋଲ୍ଲାଙ୍କୁ ଚେତାବନୀ ଦେଇଥିଲେ। ଆମେରିକା ସେନାକୁ ଟାର୍ଗେଟ୍‌ କଲେ ଆମେରିକା ଏହାର କଡ଼ା ଜବାବ ଦେବ ବୋଲି ବାଇଡେନ କହିଥିଲେ। ଅନ୍ୟପକ୍ଷେ ଗାଜାରେ ଅନ୍ୟ ଜଣେ ହମାସ କମାଣ୍ଡର ଇସ୍ରାଏଲ ସେନା ଦ୍ବାରା ନିପାତ ହୋଇଛି। ଗାଜାରେ ମୃତ୍ୟୁସଂଖ୍ୟା ୭ ହଜାର ଟପିଯାଇଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ୭,୦୨୮ ଜଣ ମୃତକଙ୍କ ନାଁ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe