ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲ ମନ୍ତ୍ରୀଙ୍କ ପ୍ରସ୍ତାବ: ନେତାନ୍ୟାହୁଙ୍କ କଡ଼ା ପ୍ରତିକ୍ରିୟା

Advertisment
ଯେତେ ଚାପ ପଡ଼ିଲେ ବି ଗାଜା ଯୁଦ୍ଧ ବନ୍ଦ ହେବନି: ନେତାନ୍ୟାହୁ

ତେଲ ଅଭିଭ: ଇସ୍ରାଏଲର ଐତିହ୍ୟ ମନ୍ତ୍ରୀ ଆମିଚାଇ ଏଲିୟାହୁ କହିଛନ୍ତି ଯେ, ଗାଜାରେ ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ ଗାଜାପଟି ଉପରେ ଏକ ପରମାଣୁ ବୋମା ପକାଇବା ବିଷୟରେ ଚିନ୍ତା କରିବା ଉଚିତ। ଓଜମା ୟେହୁଦିତ ଦଳର ନେତା ଏଲିୟାହୁ ଏକ ରେଡିଓ ସାକ୍ଷାତ୍‌କାର ସମୟରେ ଏଭଳି ବିବୃତି ଦେଇଛନ୍ତି। ଐତିହ୍ୟ ମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଏହା ବାସ୍ତବତା ଉପରେ ଆଧାରିତ ନୁହେଁ। ଇସ୍ରାଏଲ ଓ ଆଇଡିଏଫ୍‌ ଅନ୍ତର୍ଜାତୀୟ ଆଇନ ଅନୁସାରେ କାର୍ଯ୍ୟ କରୁଛନ୍ତି। ସାଧାରଣ ନିରୀହ ଲୋକ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି, ତାହା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ଏକ୍ସରେ ନେତାନ୍ୟାହୁ କହିଛନ୍ତି। ଇସ୍ରାଏଲର ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ୟେୟାର ଲାପିଡ ମଧ୍ୟ ଏଲିୟାହୁଙ୍କୁ ସମାଲୋଚନା କରି ଏପରି ଦାୟିତ୍ବହୀନ ମନ୍ତ୍ରୀଙ୍କୁ ବରଖାସ୍ତ କରିଦିଆଯିବା ଉଚିତ ବୋଲି କହିଛନ୍ତି।

ଗାଜାବାସୀଙ୍କୁ ‘ନାଜି’ ବୋଲି ଅଭିହିତ କରି ସେଠାକୁ ମାନବୀୟ ସହାୟତା ପ୍ରେରଣକୁ ମଧ୍ୟ ଏଲିୟାହୁ ବିରୋଧ କରିଥିଲେ। ସେ କହିଥିଲେ ଗାଜାପଟିରେ କେହି ନିରୀହ ଓ ସାଧାରଣ ନାଗରିକ ନାହାନ୍ତି, ସମସ୍ତେ କୌଣସି ନା କୌଣସି ପ୍ରକାରେ ହମାସ ସହ ସମ୍ପୃକ୍ତ। ଗାଜା ଯଦି ଇସ୍ରାଏଲର ଅଧୀନ ହୋଇଯାଏ, ତେବେ ସେଠାରେ ରହୁଥିବା ପାଲେ‌ଷ୍ଟିନୀୟମାନଙ୍କର କ’ଣ ହେବ ବୋଲି ପ୍ରଶ୍ନର ଉତ୍ତରରେ ଏଲିୟାହୁ କହିଥିଲେ ଯେ, ରାକ୍ଷସମାନଙ୍କୁ ଆୟାର୍ଲାଣ୍ଡ କିମ୍ବା ମରୁଭୂମିକୁ ପଠାଇ ଦିଆଯିବା ଉଚିତ। ସେମାନଙ୍କୁ ନିଜ ସମସ୍ୟାର ସମାଧାନ ନିଜେ କରିବାକୁ ଛାଡ଼ି ଦିଆଯାଉ। ପାଲେଷ୍ଟାଇନ ବା ହମାସର ପତାକା ଉତ୍ତୋଳନ କରୁଥିବା କୌଣସି ଲୋକର ବଞ୍ଚିବାର ଅଧିକାର ନାହିଁ ବୋଲି ଏଲିୟାହୁ କହିଥିଲେ। ତେବେ ବିବାଦ ସୃଷ୍ଟି ହେବା ପରେ ନିଜ ବିବୃତି ଉପରେ ସ୍ପଷ୍ଟୀକରଣ ଦେଇ ଏଲିୟାହୁ କହିଛନ୍ତି ଯେ ତାଙ୍କ କଥାକୁ ଆକ୍ଷରିକ ଅର୍ଥରେ ନିଆଯିବା ଉଚିତ ନୁହେଁ। ତାକୁ ରୂପକାତ୍ମକ ବା ଲାକ୍ଷଣିକ ଅର୍ଥରେ ନିଆଯିବା ଉଚିତ। ମୁଁ କେବଳ ଆତଙ୍କବାଦ ଓ ନାଜିବାଦ ତଥା ତାହାର ସମର୍ଥନକୁ ବିରୋଧ କରିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏଲିୟାହୁଙ୍କୁ କ୍ୟାବିନେଟ୍ ବୈଠକରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ୍ ବୈଠକକୁ ବାତିଲ କରାଯାଇଛି। ପଣବନ୍ଦୀମାନଙ୍କ ପରିବାରଗୁଡ଼ିକ ଏଲିୟାହୁଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଗଣବିଧ୍ବଂସୀ ଅସ୍ତ୍ର ବ୍ୟବହାରର ନାଁ ଧରିବା ମଧ୍ୟ ଦୋଷାବହ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe