ଗାଜା: ଗାଜାର ଦକ୍ଷିଣ ପଶ୍ଚିମ ଅଂଚଳରେ ଆଜି ଭୟାନକ ସ୍ଥିତି ଉପୁଜିଛି। ରିଲିଫ୍ ସାମଗ୍ରୀ ପାଇଁ ସମବେତ ହୋଇଥିବା ଭିଡ଼ ଭିତରୁ କିଛି ଲୋକ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଏହାର ଜବାବରେ ପ୍ରବଳ ଗୁଳିବର୍ଷା କରିଛି। ଏଥିରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୨୮୦ ଜଣ ଆହତ ହୋଇଛନ୍ତି। ଗାଜା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଗୁରୁବାର କହିଛନ୍ତି ଯେ ଗାଜା ସିଟି ନିକଟରେ ସହାୟତା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଇସ୍ରାଏଲ ଅଚାନକ ଗୁଳିବର୍ଷା କରିଥିଲା। ଯୁଦ୍ଧ ଅପରାଧରେ ଏହା ସବୁଠାରୁ ବର୍ବର ଅଧ୍ୟାୟ। ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ହମାସ ଯେଉଁ ଦାବି କରୁଛି ତାହା ବିଭ୍ରାନ୍ତିକର ଏବଂ ଆମେ କେଉଁଠି ମଧ୍ୟ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିନାହୁ। କିଛି ଲୋକଙ୍କ ମଧ୍ୟରେ ସେଠାରେ ସଂଘର୍ଷ ହୋଇଥିଲା ଏବଂ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ମୁଖପାତ୍ର କହିଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳେ ଅଲ୍ ନବୁସି ଛକରେ ସହାୟତା ଟ୍ରକକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଇସ୍ରାଏଲ ସେନା ଆଖିବୁଜା ଗୁଳିମାଡ଼ କରି ମୃତ୍ୟୁର ତାଣ୍ଡବ ରଚିଛି।
ଗାଜାରେ ଇସ୍ରାଏଲର ଗୁଳିବର୍ଷା: ୧୦୪ ପାଲେଷ୍ଟାଇନ ନାଗରିକ ନିହତ
Advertisment
Follow Us