ଗାଜା ସୀମାରେ ଇସ୍ରାଏଲର ଟ୍ୟାଙ୍କ୍ ମୁତୟନ: ୨୪ ଘଣ୍ଟାରେ ଗାଜା ଛାଡ଼ିବାକୁ ନିର୍ଦ୍ଦେଶ

Advertisment

ଏହା ଏକ ଅସମ୍ଭବ କାର୍ଯ୍ୟ: ଜାତିସଂଘ

ଏହା ଏକ ଅସମ୍ଭବ କାର୍ଯ୍ୟ: ଜାତିସଂଘ

ଗାଜା ସୀମାରେ  ଇସ୍ରାଏଲର ଟ୍ୟାଙ୍କ୍ ମୁତୟନ: ୨୪ ଘଣ୍ଟାରେ ଗାଜା ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଥିବାବେଳେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଖୁବ୍‌ଶୀଘ୍ର ଇସ୍ରାଏଲ ସେନା ଗାଜାରେ ପଶି ଭୟାବହ ଆକ୍ରମଣ କରିବାକୁ ଯୋଜନା କରିଛି। ଇସ୍ରାଏଲ ସେନା ଶୁକ୍ରବାର ଉତ୍ତର ଗାଜାରେ ରହୁଥିବା ଲୋକମାନଙ୍କୁ ୨୪ ଘଣ୍ଟା‌ ମଧ୍ୟରେ ସେମାନଙ୍କ ଘର ଏବଂ ଅଞ୍ଚଳ ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯିବାପାଇଁ ନିର୍ଦ୍ଦେଶ ଦେଇଛି। ଉତ୍ତର ଗାଜାରେ ପ୍ରାୟ ୧.୧ ନିୟୁତ ଲୋକ ରହନ୍ତି। ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ଗାଜାରୁ ନାଗରିକମାନେ ସେମାନଙ୍କ ଘରଛାଡ଼ିବା ପ୍ରକ୍ରିୟା ଆରମ୍ଭ କଲେଣି। ଲୋକେ କାର୍‌ରେ ଜିନି‌ଷପତ୍ର ବୋଝେଇ କରି ଦକ୍ଷିଣ ଗାଜା ଅଭିମୁଖେ ବାହାରିଥିବା ନେଇ ବିଭିନ୍ନ ଭିଡିଓ ଜାରି ହୋଇଛି। ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ଗାଜାରୁ ନାଗରିକମାନେ ସେମାନଙ୍କ ଘର ଛାଡ଼ିବା ଆରମ୍ଭ କଲେଣି। ଅନ୍ୟପକ୍ଷେ ଇସ୍ରାଏଲ ସେନାର ଏହ‌ି ନିର୍ଦ୍ଦେଶକୁ ଅମାନ୍ୟ କରିବା ପାଇଁ ହମାସ୍‌ ଗାଜାବାସୀଙ୍କୁ ଆହ୍ବାନ ଦେଇଛି। ସେମାନେ ଘର ନଛାଡ଼ି ନିଜ ନିଜ ଘରେ ରହିବାପାଇଁ ହମାସ୍‌ କହିଛି। ଜାତିସଂଘ ମଧ୍ୟ ଇସ୍ରା‌ଏଲ ସେନାର ଏଭଳି ନିର୍ଦ୍ଦେଶକୁ ଅସମ୍ଭବ ବୋଲି କହିଛି।

ଘୋର ମାନବୀୟ ସଙ୍କଟକୁ ଏଡ଼ାଇବାପାଇଁ ଜାତିସଂଘ ଇସ୍ରାଏଲ ସେନାକୁ ଏଭଳି ନିର୍ଦ୍ଦେଶ ପ୍ରତ୍ୟାହାର କରିନେବାପାଇଁ କହିଛି। ଏକ ଯୁଦ୍ଧଗ୍ରସ୍ତ ଅଂଚଳର ଅସହାୟ ଲୋକଙ୍କ କ୍ଷେତ୍ରରେ ଏଭଳି ଅଭିଯାନ ସମ୍ଭବ ନୁହେଁ ବୋଲି ଜାତିସଂଘ ବିବେଚନା କରୁଛି। ତେବେ ଉତ୍ତର ଗାଜା‌ରେ ଜାତିସଂଘର ବିଭିନ୍ନ ସୁବିଧା କେନ୍ଦ୍ର ତଥା ସ୍କୁଲ୍‌ ଓ କ୍ଲିନିକ୍‌ରେ ଥିବା ବ୍ୟକ୍ତିଙ୍କ ପାଇଁ ବି ଇସ୍ରାଏଲ ସେନାର ନିର୍ଦ୍ଦେଶ ଲାଗୁ ବୋଲି ଏହା ଘୋଷଣା କରିବାପରେ ଜାତିସଂଘ ଦକ୍ଷିଣ ଗାଜାରେ ଏହାର ଅପରେସନ୍‌ ଆରମ୍ଭ କରିଛି। ଅନ୍ୟପକ୍ଷେ ଇସ୍ରାଏଲ ଗାଜା ସୀମା ନିକଟରେ ବହୁସଂଖ୍ୟାରେ ଟ୍ୟାଙ୍କ୍‌ ମୁତୟନ ଆରମ୍ଭ କରିଛି। ଇସ୍ରାଏଲ –ହମାସ୍‌ ଯୁଦ୍ଧକୁ ଇତିମଧ୍ୟରେ ସପ୍ତାହେ ପୂରିଥିଲେ ବି କେଉଁଠି ବି ସ୍ଥିତିରେ ସୁଧାର ଦେଖିବାକୁ ମିଳିନାହିଁ। ପ୍ରତିଦିନ ଉଭୟ ପଟେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଦୁଇଦିନ ତଳେ ଇସ୍ରାଏଲ-ଗାଜା ସୀମାରେ ୧୫୦୦ ହମାସ ଆତଙ୍କବାଦୀଙ୍କ ଶବ ମିଳିଥିଲା ବୋଲି ଇସ୍ରାଏଲ ଦାବି କରିଥିଲା। ଇତିମଧ୍ୟରେ ଇସ୍ରାଏଲ ବାୟୁସେନା ଦାବି କରିଛି ଯେ ଏହା ଗତରାତିରେ ୭୫୦ରୁ ଅଧିକ ହମାସ ଟାର୍ଗେଟ୍‌ ଧ୍ବସ୍ତ କରିଦେଇଛି । ହମାସ୍‌ର ଅଣ୍ଡରଗ୍ରାଉଣ୍ଡ୍‌ ଟେରର ଟନେଲ୍‌ ଏବଂ ସାମରିକ ପୋଷ୍ଟ୍‌ ସମେତ ଶୀର୍ଷ ଆତଙ୍କବାଦୀମାନଙ୍କ ବାସଭବନକୁ ଟାର୍ଗେଟ୍‌ କରି ଆକ୍ରମଣ ଜାରି ରହିଛି।

୪ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି

publive-image

ନୂଆଦିଲ୍ଲୀ: ହମାସ ଆକ୍ରମଣର ପାଲଟା ଜବାବରେ ଇସ୍ରାଏଲ ଗାଜାରେ ଅହରହ ବୋମାବର୍ଷା କରୁଥିବାରୁ ଲୋକେ ପ୍ରାଣ ବିକଳରେ ସେମାନଙ୍କ ଘର ଛାଡ଼ି ଦେଉଛନ୍ତି। ଗାଜା ଷ୍ଟ୍ରିପ୍‌ରେ ୪୨୩,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ୪୨୩,୩୭୮ ଲୋକ ଗାଜା ଛାଡ଼ିଛନ୍ତି ବୋଲି ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି। ଉତ୍ତର ଗାଜାରେ ନାଗରିକମାନଙ୍କୁ ୨୪ ଘଣ୍ଟା ମଧ୍ୟ‌ରେ ସେମାନଙ୍କ ଘର ଛାଡ଼ି ଦକ୍ଷିଣକୁ ଦିଆଯାଇଥିବା ନିର୍ଦ୍ଦେଶ ଅତ୍ୟନ୍ତ ଅମାନବୀୟ ବୋଲି ଇରାନ୍‌ କହିଛି। ତେବେ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ନାଗରିକଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ପ୍ରତିଷ୍ଠାକୁ ସମର୍ଥନ କରୁଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗାଜାରେ ମୃତ୍ୟୁସଂଖ୍ୟା ୧୮୦୦ରେ ପହଞ୍ଚିଛି ଏବଂ ଏଥି‌‌ରେ ୫୮୩ ଜଣ ଶିଶୁ ଅଛନ୍ତି ବୋଲି ଗାଜା କର୍ତ୍ତୃପକ୍ଷ କହିଛନ୍ତି। ମୃତକଙ୍କ ମଧ୍ୟରେ ୩୫୧ ମହିଳା ଅଛନ୍ତି ଏବଂ ୭ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗାଜାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଜରୁରୀ ଔଷଧ ଓ ଅକ୍ସିଜେନ୍‌ ଶେଷ ହୋଇଆସିଲାଣି। ହସ୍ପିଟାଲ୍‌ଗୁଡ଼ିକ ଖୁବ୍‌ ଶୀଘ୍ର ଶବଗୃହରେ ପରିଣତ ହୋଇଯିବାର ଭୟ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe