ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ଜଣେ ଶିଶୁଙ୍କ ସମେତ ୭ ମୃତ, ୨୦ ଆହତ

ଗାଜା-ଲେବାନନ୍ ଉପରେ ଆକ୍ରମଣ ପରେ ଇସ୍ରାଏଲ ଏବେ ସିରିଆରେ ଏୟାର ଷ୍ଟ୍ରାଇକ୍ କରିଛି। ଇସ୍ରାଏଲ୍ ସେନା ଲେବାନନ୍ ଉପରେ ଲଗାତାର ଏୟାର ଷ୍ଟ୍ରାଇକ୍ କରିଆସୁଛି। ଇସ୍ରାଏଲ ଏବେ ସିରିଆରେ ତୃତୀୟ ମୋର୍ଚ୍ଚା ଖୋଲିଛି...

WhatsApp Image 2024-11-11 at 3.46.38 PM

ଦାମାସକସ୍: ଗାଜା-ଲେବାନନ୍ ପରେ ସିରିଆର ରାଜଧାନୀ ଦାମାସକସ୍ ନିକଟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଜଣେ ମହିଳା ଏବଂ ଶିଶୁଙ୍କ ସମେତ  ୭ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏସମ୍ପର୍କରେ ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି।

ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି ଯେ, ସ୍ଥାନୀୟ ସମୟ ଅପରାହ୍ନ ୫ଟାରେ ଇସ୍ରାଏଲ୍ ସେନା ଦାମାସକସ୍‌ର ଗ୍ରାମାଞ୍ଚଳର ସୟିଦାହ ଜୈନବ ଅଞ୍ଚଳରେ ଏକ ଆବାସିକ କୋଠାକୁ ଟାର୍ଗେଟ କରିଛି। ଅଧିକୃତ ଗୋଲାନ୍ ହାଇଟ୍ସରୁ ଇସ୍ରାଏଲ୍ ସେନା ଏହି ଏୟାର ଷ୍ଟ୍ରାଇକ୍ କରିଛି।

ଏହି ଆକ୍ରମଣରେ ବହୁ ବ୍ୟକ୍ତିଗତ ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ବ୍ରିଟେନ ଭିତ୍ତିକ ଯୁଦ୍ଧ ମନିଟରିଂ ସଂଗଠନ 'ସିରିଆନ୍ ଅବଜରଭେଟରୀ ଫର୍ ହ୍ୟୁମାନ୍ ରାଇଟ୍ସ' ପୂର୍ବରୁ କହିଥିଲା ​​ଯେ ଏହି ଆକ୍ରମଣରେ ଲେବାନୀୟ ସାଧାରଣ ନାଗରିକ ଏବଂ ହେଜବୁଲ୍ଲା ସଦସ୍ୟ ରହୁଥିବା ଏକ ଆବାସିକ କୋଠାର ଫ୍ଲାଟକୁ ଟାର୍ଗେଟ କରାଯାଇଥିଲା।

ସିରିଆର ରାଜଧାନୀର ଦକ୍ଷିଣରେ ଥିବା ସୟିଦାହ ଜୈନବ ଏକ ପ୍ରମୁଖ ଶିଆ ଧର୍ମସ୍ଥଳ। ଏହା ଅତୀତରେ ଇସ୍ରାଏଲ ଆକ୍ରମଣର ଲକ୍ଷ୍ୟ ଥିଲା। ନିକଟ ଅତୀତରେ ଇସ୍ରାଏଲ ସିରିଆରେ ଅନେକ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ଇରାନରୁ ହେଜବୁଲ୍ଲାକୁ ହସ୍ତାନ୍ତର କରାଯାଉଥିବା ସାମରିକ ଅସ୍ତ୍ରଶସ୍ତ୍ର। 

ଅଧିକ ପଢ଼ନ୍ତୁ: ଇରାନ ଆକ୍ରମଣ ଭୟ: ବଙ୍କରରେ ଲୁଚିଛନ୍ତି ନେତାନ୍ୟାହୁ

ସେପ୍ଟେମ୍ବର ୨୩ଠାରୁ ଇସ୍ରାଏଲ୍ ସେନା ଲେବାନନ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଆସୁଛି। ହେଜବୁଲ୍ଲାକୁ ଦୁର୍ବଳ କରିବାକୁ ଲକ୍ଷ୍ୟ ରଖି ଏହା ସୀମା ପାର୍ଶ୍ୱରେ ଏକ ସ୍ଥଳ ଅଭିଯାନ ମଧ୍ୟ ଆରମ୍ଭ କରିଛି। ଇସ୍ରାଏଲ୍ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାଙ୍କ ସମେତ ଅନେକ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ୮ ଅକ୍ଟୋବର ୨୦୨୩ରେ, ହେଜବୁଲ୍ଲା ଗାଜାରେ ହମାସ ସହିତ ମିଳିତ ଭାବେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା। ଏହାପରେ ଇସ୍ରାଏଲ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲା। ଇସ୍ରାଏଲ ସେନା ପକ୍ଷରୁ ଗାଜା, ଲେବାନନ ପରେ ଏବେ ସିରିଆର ଆବାସିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି। 

ଅଧିକ ପଢ଼ନ୍ତୁ: ଆମେରିକା ସୀମାରେ କ୍ୟାମେରା-ଡ୍ରୋନ୍ ଲଗାଇଲା କାନାଡା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe