oneindia.com
ବେଙ୍ଗାଲୁରୁ : ୨୦୨୦ ଚନ୍ଦ୍ରଯାନ-୩ ଏବଂ ଗଗନଯାନର ବର୍ଷ ହେବ। ଏହି ବର୍ଷ ଇସ୍ରୋ ପାଇଁ ଅନ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଇସ୍ରୋ ମୁଖ୍ୟ କେ ଶିବନ୍ କହିଛନ୍ତି। ଚନ୍ଦ୍ରଯାନ -୩ ଏବଂ ଗଗନଯାନ ପାଇଁ ୨୦୧୯ରେ ସଠିକ୍ ପ୍ରକ୍ରିୟାରେ କାର୍ଯ୍ୟରେ ଅଗ୍ରଗତି ହୋଇଥିଲା। ଗଗନଯାନ ପାଇଁ ଅନେକ ଡିଜାଇନ୍ କାମ ଶେଷ ହୋଇଛି। ଏବର୍ଷ ଆହୁରି ଅନେକ ପରୀକ୍ଷଣ ରହିଛି। ଗଗନଯାନ ପାଇଁ ୪ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚୟନ କରାଯାଇଛି ଏବଂ ଜାନୁ୍ଆରି ତୃତୀୟ ସପ୍ତାହରୁ ସେମାନେ ରୁଷ୍ରେ ତାଲିମ ନେବେ। ଚଳିତ ବର୍ଷ ମଧ୍ୟ ଗଗନଯାନର ପ୍ରଥମ ମାନବବିହୀନ ବିମାନ ପାଇଁ ଟାର୍ଗେଟ୍ କରାଯାଇଛି । ଚନ୍ଦ୍ରଯାନ-୩ ଏବଂ ଗଗନଯାନ ସମେତ ଚଳିତ ବର୍ଷ ସମୁଦାୟ ୨୫ରୁ ଅଧିକ ମିସନ୍ ପାଇଁ ଟାର୍ଗେଟ୍ କରାଯାଇଛି ବୋଲି ଶିବନ କହିଛନ୍ତି।
ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶିବନ କହିଛନ୍ତି ସମସ୍ତ ମିସନ୍ ସଠିକ୍ ଭାବେ ଚାଲିଛି। ଇସ୍ରୋର ଭିତ୍ତିଭୂମି ବୃଦ୍ଧି ପାଇଁ ତାମିଲନାଡ଼ୁର ତୁତିକୋରିନ୍ରେ ଖୁବ୍ଶୀଘ୍ର ଏକ ନୂଆ ଲଞ୍ଚ୍ ପ୍ୟାଡ୍ ନିର୍ମାଣ ହେବ। ଉଲ୍ଲେଖଯୋଗ୍ୟ ଗଗନଯାନ ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭାରତ ୧୨ ଟେଷ୍ଟ୍ ପାଇଲଟ୍ଙ୍କୁ ନେଇଥିଲା। ସେମାନେ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଲେବଲ ୱାନ୍ ସ୍କ୍ରିନିଂରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଇଏଏମ୍ ୬୦ ଆବେଦନକାରୀଙ୍କ ମଧ୍ୟରୁ ୧୨ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚୟନ କରିଥିବା ବେଳେ ଗୋଟିଏ ରାଉଣ୍ଡ୍ ସ୍କ୍ରିନିଂ ସରିଥିଲା। ତେବେ ଚୂଡ଼ାନ୍ତ ହୋଇଥିବା ୪ ଅନ୍ତରୀକ୍ଷ ଯାତ୍ରୀ ତାଲିମ ପାଇଁ ରୁଷ୍ ଯିବେ। କେ ଶିବନ କହିଛନ୍ତି ଭାରତର ପରବର୍ତ୍ତୀ ଚନ୍ଦ୍ର ଅଭିଯାନକୁ ମଂଜୁରି ମିଳିଛି ଏବଂ ଏ ଦିଗରେ ମଧ୍ୟରେ କାର୍ଯ୍ୟ ତ୍ବରାନ୍ବିତ ହେବ।
Follow Us