Image Courtesy of The Times of India
ନୂଆଦିଲ୍ଲୀ: ଭାରତୀୟ କମ୍ପାନିମାନଙ୍କଦ୍ୱାରା ନିର୍ମିତ ତିନୋଟି କୃତ୍ରିମ ଉପଗ୍ରହ ସମେତ କେବଳ ଘରୋଇ କୃତ୍ରିମ ଉପଗ୍ରହଗୁଡ଼ିକୁ ନେଇ କକ୍ଷପଥରେ ସ୍ଥାପନ କରିବାକୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ଶ୍ରୀହରିକୋଟାରୁ ଫେବ୍ରୁଆରି ୨୮ରେ ଏକ ରକେଟ୍ ଉତ୍କ୍ଷେପଣ କରିବା ଲାଗି ପ୍ରସ୍ତୁତି ଚଳାଇଛି।
କୃତ୍ରିମ ଉପଗ୍ରହ ସବୁକୁ ଧରି ପ୍ରଥମ ‘ଲଞ୍ଚ୍ପ୍ୟାଡ୍’ରୁ ‘ପିଏସ୍ଏଲ୍ଭି-ସି୫୧’ ରକେଟ୍ ମହାକାଶକୁ ଯିବ। ବ୍ରାଜିଲ୍ ନିର୍ମିତ ‘ଆମାଜନିଆ-୧’ କୃତ୍ରିମ ଉପଗ୍ରହକୁ ନେଇ କକ୍ଷ ପଥରେ ସ୍ଥାପନ କରିବା ଏହି ରକେଟ୍ ଉତ୍କ୍ଷେପଣର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
‘ଇସ୍ରୋ’ ଅଧ୍ୟକ୍ଷ କେ ଶିବମ୍ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କର ଅଂଶଗ୍ରହଣ ବୃଦ୍ଧି କରାଇବା ପ୍ରତି ଧ୍ୟାନ ଦିଆଯାଇ ଆଗାମୀ ‘ପିଏସ୍ଏଲ୍ଭି’ ଉତ୍କ୍ଷେପଣ କେବଳ ଘରୋଇ କୃତ୍ରିମ ଉପଗ୍ରହ ପ୍ରତି ସମର୍ପିତ ହୋଇଛି।
Image Courtesy of Business Standardଆମାଜନ୍ ଜଙ୍ଗଲର ଜୈବଶୃଙ୍ଖଳ ଅନୁଧ୍ୟାନ ନିମନ୍ତେ ଆଠବର୍ଷ ପ୍ରଚେଷ୍ଟା କରି ବ୍ରାଜିଲ୍ ପ୍ରସ୍ତୁତ କରିଥିବା ‘ଆମାଜନିଆ-୧’ ଦକ୍ଷିଣ ଆମେରିକୀୟ ଦେଶରୁ ଚେନ୍ନାଇ ବାଟେ ଆସି ଶ୍ରୀହରିକୋଟାରେ ପହଞ୍ଚି ସାରିଛି। ‘ଆମାଜନିଆ-୧’କୁ ପ୍ରସ୍ତୁତ କରିଥିବା ବ୍ରାଜିଲ୍ର ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ରିସର୍ଚ ଟିମ୍’ର ଚାରିଜଣ ସଦସ୍ୟ ମଧ୍ୟ ଏହି ‘କୃତ୍ରିମ ଉପଗ୍ରହ’ ସହ ଆସିଛନ୍ତି। ସେମାନେ ଏହାର ସଫଳ ଉତ୍କ୍ଷେପଣର ତଦାରଖ କରିବେ।
ଏଥିସହ ଉତ୍କ୍ଷେପଣ ହେବାକୁ ଥିବା ଘରୋଇ ଭାବେ ନିର୍ମିତ ଅନ୍ୟ ତିନୋଟି କୃତ୍ରିମ ଉପଗ୍ରହ ହେଉଛି ‘ପିକ୍ସେଲ୍ ଇଣ୍ଡିଆ’ର ‘ଆନନ୍ଦ’, ‘ସ୍ପେସ୍ କିଡ୍ସ୍ ଇଣ୍ଡିଆ’ର ‘ସତୀଶ ସାଟ୍’ ଏବଂ କେତୋଟି ବିଶ୍ୱବିଦ୍ୟାଳୟଦ୍ୱାରା ବିକଶିତ ‘ୟୁନିଟ୍-ସାଟ୍’।
Follow Us