Image Courtesy of India.com
ବେଙ୍ଗାଲୁରୁ: ଶ୍ରୀହରିକୋଟାରେ ରକେଟ୍ ଉତ୍କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍ଡାଉନ୍’ ବା ‘ଓଲଟ ଗଣନା’ କରୁଥିବା ‘ଇସ୍ରୋ’ ବୈଜ୍ଞାନିକା ଏନ୍. ବାଲାର୍ମାତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ଓ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଗଣମାଧ୍ୟମ ‘ୱିଅନ୍’ ରିପୋର୍ଟ ଅନୁସାରେ, ତାମିଲନାଡୁର ଅରିୟାଲୁର ବାସିନ୍ଦା ବାଲାର୍ମାତିଙ୍କର ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ‘ଚନ୍ଦ୍ରଯାନ-୩’ ଉତ୍କ୍ଷେପଣ ବା ‘ଲଞ୍ଚ୍’ ସମୟରେ (ଜୁଲାଇ ୧୪) ତାରିଖରେ ମଧ୍ୟ ସେ ‘କାଉଣ୍ଟ୍ଡାଉନ୍’ ଘୋଷଣା କରିଥିଲେ। ଏବଂ ଏହା ଥିଲା ତାଙ୍କର ଶେଷ ‘କାଉଣ୍ଟ୍ଡାଉନ୍’ ଘୋଷଣା।
Image Courtesy of India Posts Englishତାଙ୍କ ମୃତ୍ୟୁ ଯୋଗୁଁ ଶୋକବ୍ୟକ୍ତ କରି ‘ଇସ୍ରୋ’ର ଅନ୍ୟତମ ପୂର୍ବତନ ନିର୍ଦେଶକ ଡକ୍ଟର୍ ପି. ଭି. ବେଙ୍କିଟକୃଷ୍ଣ ‘ଏକ୍ସ୍’ରେ ଲେଖିଛନ୍ତି: ଶ୍ରୀହରିକୋଟାରୁ ‘ଇସ୍ରୋ’ର ଆଗାମୀ ଅଭିଯାନର ‘କାଉଣ୍ଟ୍ଡାଉନ୍’ ଲାଗି ବାଲାର୍ମାତି ମାଡାମ୍ଙ୍କ କଣ୍ଠସ୍ବର ନ ଥିବ। ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍ଡାଉନ୍’ ଘୋଷଣା। ଅପ୍ରତ୍ୟାଶିତ ମୃତ୍ୟୁ। ଭାରି ଦୁଃଖ ଲାଗୁଛି। ପ୍ରଣାମ!
୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍ଡାଉନ୍’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ବର ସମଗ୍ର ଭାରତବାସୀଙ୍କର ପ୍ରିୟଭାଜନ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ୍ କଲାମ୍ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ।
‘ଇସ୍ରୋ’ରୁ ଅବସର ଗ୍ରହଣ କରିଥିବା ବାଲାର୍ମାତିଙ୍କର ଶନିବାର ସନ୍ଧ୍ୟାରେ ହୃଦ୍ଘାତ ହୋଇଥିଲା ଏବଂ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ପୋଷ୍ଟସ୍ ଇଂଲିଶ୍’ ରିପୋର୍ଟ କରିଛି।
Follow Us