Image Courtesy of India Today
ଚେନ୍ନାଇ: ଆଜି ପ୍ରତ୍ୟୁଷରେ ‘ଭାରତୀୟ ମହାକାଶ ଓ ଗବେଷଣା ସଂସ୍ଥାନ (ଇସ୍ରୋ) ‘ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍ଦ୍ବାରା ‘ଆର୍ଥ ଅବ୍ଜର୍ଭେସନ୍ ସାଟେଲାଇଟ୍’ (ଇଓଏସ୍-୦୪) ସହ ଆଉ ୨ଟି ଛୋଟ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ କରିବା ସହ ସେଗୁଡ଼ିକୁ କକ୍ଷପଥରେ ସ୍ଥାପନ କରିଛି।
ପୃଥିବୀ ପୃଷ୍ଠଠାରୁ ପ୍ରାୟ ୫୨୯ କିଲୋମିଟର୍ ଊର୍ଦ୍ଧ୍ବରେ ‘ସନ୍-ସିଙ୍କ୍ରୋନସ୍ ଅର୍ବିଟ୍’ରେ ‘ଇଓଏସ୍-୦୪’କୁ ସ୍ଥାପନ କରିବା ଲାଗି ଆଜି ଭୋର୍ ୫:୫୯ରେ ଶ୍ରୀହରିକୋଟାର ‘ଏସ୍ଏଆର୍’ରୁ ଉତ୍କ୍ଷେପଣ କରାଯାଇଥିଲା। ‘ଷ୍ଟୁଡେଣ୍ଟ୍ ସାଟେଲାଇଟ୍ ଇନ୍ସ୍ପାୟାର୍ସ’ ଏବଂ ‘ଇନ୍ସାଟ୍-୨ଡିଟି’ ନାମରେ ଗୋଟାଏ ‘ସ୍ପେସ୍କ୍ରାଫ୍ଟ’ ସହ ଚାରି-ଥାକବିଶିଷ୍ଟ ଉକ୍ତ ରକେଟ୍ ମହାକାଶକୁ ଉଠିଥିଲା। ‘ଇନ୍ସାଟ୍-୨ଡିଟି’ ଭାରତ-ଭୁଟାନ୍ ମିଳିତ ସହଯୋଗରେ ନିର୍ମିତ।
‘ମିସନ୍ କଣ୍ଟ୍ରୋଲ୍’ରେ ହର୍ଷୋତ୍ଫୁଲ୍ଲିତ ବାତାବରଣରେ ଉତ୍କ୍ଷେପଣ ନିର୍ଦେଶକ ଘୋଷଣା କରିଛନ୍ତି ଯେ, ୩ଟିଯାକ କୃତ୍ରିମ ଉପଗ୍ରହଙ୍କୁ (ସାଟେଲାଇଟ୍) ସଫଳତାର କକ୍ଷପଥରେ ସ୍ଥାପନ କରାଯାଇଛି। ଉତ୍କ୍ଷେପଣ ପରେ ପରେ ‘ଇସ୍ରୋ’ ମୁଖ୍ୟ ଏସ୍. ସୋମନାଥ କହିଲେ, ‘ପିଏସ୍ଏଲ୍ଭି-ସି୫୨’ର ଅଭିଯାନ ସଫଳତାର ସହ ସମ୍ପାଦିତ ହୋଇଛି।
Image Courtesy of NDTVସବୁ ପ୍ରକାର ପାଗରେ ଉନ୍ନତ ମାନର ଫଟୋ ପଠାଇବାକୁ ଯେମିତି ସମର୍ଥ ହୁଏ ‘ରାଡାର୍ ଇମେଜିଙ୍ଗ୍ ସାଟେଲାଇଟ୍’ (ରିସାଟ୍) ନାମରେ ସୁପରିଚିତ ‘ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍-୦୪’କୁ ସେହିପରି ଡିଜାଇନ୍ କରାଯାଇଛି। କୃଷି, ବନିକରଣ, ବୃକ୍ଷରୋପଣ, ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଚିହ୍ନଟ, ମୃତ୍ତିକା ଆର୍ଦ୍ରତା ଓ ‘ହାଇଡ୍ରୋଲୋଜି’ ଆଦି କ୍ଷେତ୍ରରେ ଉକ୍ତ ସାଟେଲାଇଟ୍କୁ ଉପଯୋଗ କରାଯିବ। ଏହି କୃତ୍ରିମ ଉପଗ୍ରହର ପରମାୟୁ ୧୦ ବର୍ଷ।
ଏହା ବ୍ୟତିରେକେ, ସହଯାତ୍ରୀ ଭାବେ ‘ପିଏସ୍ଏଲ୍ଭି-ସି୫୨’ ଅଭିଯାନରେ ଯାଇଥିବା ଦୁଇଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ ମଧ୍ୟରୁ ଗୋଟିଏ ହେଉଛି ବୋଲ୍ଡର୍ସ୍ଥିତ କଲୋରାଡୋ ବିଶ୍ବବିଦ୍ୟାଳର ‘ଲାବ୍ରଟରି ଅଫ୍ ଆଟ୍ମୋସ୍ଫେରିକ୍ ଆଣ୍ଡ୍ ସ୍ପେସ୍ ଫିଜିକ୍ସ୍’ ସହାୟତାରେ ନିର୍ମିତ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି’ର (ଆଇଆଇଏସ୍ଟି) ଶିକ୍ଷାର୍ଥୀ ସାଟେଲାଇଟ୍ (ଇନ୍ସ୍ପାୟର୍ସ୍ୟାଟ୍-୧)। ଏହାଦ୍ବାରା ‘ଆୟୋନୋସ୍ଫିୟର୍ ଡାଇନାମିକ୍’ ଏବଂ ସୂର୍ଯ୍ୟର ‘କରୋନାଲ୍’ ଉତପ୍ତ ପ୍ରକ୍ରିୟା ବିଷୟରେ ଅଧିକ ଜ୍ଞାନ ଲାଭ କରିହେବ। ଏହି ସାଟେଲାଇଟ୍ଟି ୧ ବର୍ଷ କାର୍ଯ୍ୟକ୍ଷମ ରହିବ।
ସୂଚନାଯୋଗ୍ୟ, ଏହା ହେଉଛି ଚଳିତ ବର୍ଷର ପ୍ରଥମ ସାଟେଲାଇଟ୍ ଉତ୍କ୍ଷେପଣ ଅଭିଯାନ। ଚଳିତ ବର୍ଷ ସମୁଦାୟ ୧୯ଟି ଉତ୍କ୍ଷେପଣ ହେବ ବୋଲି ପୂର୍ବରୁ ‘ଇସ୍ରୋ’ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି।
Follow Us