ଫ୍ରେଞ୍ଚ୍‌ ଗିଆନାରୁ ଭାରତର ଟେଲିଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ର ସଫଳ ଉତ୍‌କ୍ଷେପଣ

ଫ୍ରେଞ୍ଚ୍‌ ଗିଆନାରୁ ଭାରତର ଟେଲିଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ର ସଫଳ ଉତ୍‌କ୍ଷେପଣ

Image Source: Zee News

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଫ୍ରେଞ୍ଚ୍‌ ଗିଆନାସ୍ଥିତ ‘ଏରିଏନ୍‌-୫ ଭିଏ-୨୫୧’ ଦ୍ୱାରା ଭାରତର ଟେଲିଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ ଉତ୍‌କ୍ଷେପଣ କରାଯାଇ ସଫଳତାର ସହ ‘ଜିଓସିକ୍ରୋନସ୍‌ ଟ୍ରାନ୍‌ସ୍‌ଫର୍‌ ଅର୍ବିଟ୍‌’ରେ (ଜିଟିଓ) ବା କକ୍ଷପଥରେ ଅବସ୍ଥାପନ କରାଯାଇଛି।

‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ନିର୍ମାଣ କରିଥିବା ‘ଜିସାଟ୍‌-୩୦’ ଜିଓଷ୍ଟେସନାରି କକ୍ଷପଥରୁ ‘ସି’ ଏବଂ ‘କୁ’ ବ୍ୟାଣ୍ଡ୍‌କୁ ଯୋଗାଯୋଗ ସେବା ଯୋଗାଇବ।

ଦକ୍ଷିଣ ଆମେରିକାର ଉତ୍ତରପୂର୍ବ ଉପକୂଳରେ ଅବସ୍ଥିତ ଫରାସୀ ଅଞ୍ଚଳ କୌରୁ ଠାରେ ଥିବା ଏରିଏନ୍‌ ଲଞ୍ଚ୍‌ କମ୍ପ୍ଲେକ୍ସରୁ ରାତି ୨: ୩୫ ମିନିଟ୍‌ରେ ଉତ୍‌କ୍ଷେପିତ ହୋଇ ୩୮ ମିନିଟ୍‌ ଉଡ଼ାଣ ପରେ ‘ଜିସାଟ୍‌-୩୦’ ତା’ର କକ୍ଷପଥରେ ଅବସ୍ଥାପିତ ହୋଇଛି।

ଉତ୍‌କ୍ଷେପଣ ଅଭିଯାନ ସଫଳ ହେବା ପରେ କୌରୁରେ ଉପସ୍ଥିତ ଥିବା ‘ଇସ୍ରୋ’ର ‘ୟୁ. ଆର୍‌. ରାଓ ସାଟେଲାଇଟ୍‌ ସେଣ୍ଟର୍‌’ର ନିର୍ଦେଶକ ପି. କୁହ୍ନିକୃଷ୍ଣନ୍‌ ‘ଇସ୍ରୋ’ କମ୍ୟୁନିଟି ଏବଂ ‘ଏରିଏନ୍‌ସ୍ପେସ୍‌ ଟିମ୍‌’କୁ ଅଭିନନ୍ଦନ ଜଣାଇଥିଲେ। ଏହା ୨୦୨୦ ବର୍ଷ ପ୍ରାରମ୍ଭରେ ‘ଇସ୍ରୋ’ର ପ୍ରଥମ ସଫଳ ଅଭିଯାନ ବୋଲି କହିଛନ୍ତି।

publive-image Image Source: India Today

୩୩୫୭ କିଲୋଗ୍ରାମ୍‌ ଓଜନବିଶିଷ୍ଟ ‘ଜିସାଟ୍‌-୩୦’ ‘ଇନ୍‌ସାଟ୍‌-୪’ ସ୍ଥାନରେ କାର୍ଯ୍ୟ କରିବ। ଭାରତ ଏବଂ ଏହାର ଦ୍ୱୀପାଞ୍ଚଳ ସହ ଉପସାଗରୀୟ ଦେଶ ସମେତ ବହୁ ସଂଖ୍ୟକ ଏସୀୟ ଏବଂ ଅଷ୍ଟ୍ରେଲୀୟ ଦେଶରେ ମଧ୍ୟ ଏହା ସେବା ଯୋଗାଇ ପାରିବ। ଏହା ୧୫ ବର୍ଷରୁ ଅଧିକ କାଳ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ କହିଛି। ଏବେ ମହାକାଶରେ କାର୍ଯ୍ୟକ୍ଷମ ଥିବା ୧୯ଟି ଯୋଗାଯୋଗ ସାଟେଲାଇଟ୍‌ ସହ ମିଳିତ ହୋଇ ଏହା କାମ କରିବ ବୋଲି କୁହାଯାଉଛି।

ଭାରତର ୪୧ତମ ଯୋଗାଯୋଗ ସାଟେଲାଇଟ୍‌- ‘ଜିସାଟ୍‌୩୦’ ଦ୍ୱାରା ତ୍ୱରିତ ବେଗରେ ଟେଲିଭିଜନ୍‌ ପ୍ରସାରଣ, ସାଟେଲାଇଟ୍‌ ଭିତ୍ତିକ ଖବର ସଂଗ୍ରହ ଏବଂ ସିଧାସଳଖ ଘରକୁ ଘର ସେବା ଯୋଗାଇବା ଆଦି କାର୍ଯ୍ୟ ଅନାୟାସରେ ସମ୍ପାଦନ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe