ନୂଆଦିଲ୍ଲୀ : ସରକାରଙ୍କ ତିନି ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନରେ କୃଷକମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା କରାଇବାକୁ ବିରୋଧ ଦଳ ପକ୍ଷରୁ ଦାବି ହୋଇଛି। ଶିରୋମଣି ଅକାଳୀ ଦଳ, ଏନ୍ସିପି, ଶିବ ସେନା, ବିଏସ୍ପି, ଜେକେଏନ୍ସି, ଆର୍ଏଲ୍ପି, ସିପିଆଇ ଏବଂ ସିପିଆଇ(ଏମ୍) ପକ୍ଷରୁ ୮ ଜଣିଆ ପ୍ରତିନିଧି ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି କୃଷକ ମୃତ୍ୟୁର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି। ତୁରନ୍ତ ଏହାର ଜେପିସି ତଦନ୍ତ ଦାବି ଏକ ଦାବିପତ୍ର ବାଚସ୍ପତିଙ୍କୁ ଦିଆଯାଇଛି।
ଅନ୍ୟପକ୍ଷରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ରିପୋର୍ଟ ନାହିଁ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି। କୃଷିମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତାମାନେ କ୍ଷୋଭପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ମନ୍ତବ୍ୟ ଦେଶର କୃଷକମାନଙ୍କ ଆଘାତ ଦେଇଥିବାରୁ ଏଥିପାଇଁ କୃଷିମନ୍ତ୍ରୀ ତୋମର କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରୁ କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ କରି ଆସୁଛନ୍ତି। କୃଷକ ଆନ୍ଦୋଳନରେ ଏ ପର୍ଯ୍ୟନ୍ତ ୫୩୭ ଜଣ କୃଷକଙ୍କ ମୃତ୍ୟୁ ଘଟିଛି ବୋଲି ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ କହିଛନ୍ତି।
Follow Us