The Hindu BusinessLine
ନୂଆଦିଲ୍ଲୀ : ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଦେଇଥିବା ତଥ୍ୟାବଳୀ ସଂକ୍ରାନ୍ତରେ ପ୍ରାକ୍-ବ୍ୟାବହାରିକ ଅନୁଧ୍ୟାନ କରାଯିବ । ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ହରଦୀପ ସିଂହ ପୁରୀ।
ପ୍ରତିବର୍ଷ ବିଦେଶରୁ ବହୁ ପର୍ଯ୍ୟଟକ ପୁରୀକୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ଦାବି ଉପରେ କେନ୍ଦ୍ର ବିଚାର କରୁଛନ୍ତି କି ନାହିଁ, ସାଂସଦ ସୁଜିତ କୁମାର ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଥିଲେ, ପୁରୀ ସହରକୁ ଲାଗି ଖଣ୍ଡେ ଜମି ଚିହ୍ନଟ କରିବା ସହ ସେଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ଲାଗି ଗତମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ତଦନୁଯାୟୀ, ଜାନୁଆରି ୧୨ ତାରିଖରେ ବେସାମରିକ ବିମାନ ଚଳାଚଳ ସଚିବ ଓଡ଼ିଶା ରାଜ୍ୟସରକାରଙ୍କ ଅଧିକାରୀ, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ଏବଂ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ରାଜ୍ୟ ସରକାରଙ୍କ ଯୋଗାଇ ଦେଇଥିବା ତଥ୍ୟାବଳୀ ଆଧାରରେ ଉପରୋକ୍ତ ସ୍ଥାନର ପ୍ରାକ୍-ବ୍ୟାବହାରିକ ଅଧ୍ୟୟନ କରିବା ଲାଗି ‘ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ’ଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ।
ଏତଦ୍ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍କୁ ବିମାନ ବନ୍ଦରରେ ବିକଶିତ କରିବାର ବର୍ତ୍ତମାନ କୌଣସି ପ୍ରସ୍ତାବ ବିଚାରାଧୀନ ନଥିବା କେନ୍ଦ୍ରମନ୍ତ୍ରୀ ଲିଖିତ ଉତ୍ତରରେ ଜଣାଇଛନ୍ତି।
Follow Us