photo-live hindustan
ବାଙ୍ଗାଲୋର: ଠିକାଦାର ସନ୍ତୋଷ ପାଟିଲ୍ଙ୍କ ଆତ୍ମହତ୍ୟା ମାମଲାରେ ଆଜି ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପା। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ତୋଷ ନିଜ ମୃତ୍ୟୁ ପାଇଁ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ। ଏହାପରଠାରୁ କଂଗ୍ରେସ ଈଶ୍ବରପ୍ପାଙ୍କ ଇସ୍ତଫା ଦାବି କରିଆସୁଥିବା ବେଳେ ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ନିକଟରେ ଦାଖଲ କରିଛନ୍ତି। ସୂଚନା ଥାଉ କି ଗତକାଲି ଈଶ୍ବରପ୍ପା ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।
ଇସ୍ତଫା ଦେବା ପୂର୍ବରୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ.ଈଶ୍ବରପ୍ପା ଶୁକ୍ରବାର ଦିନ ତାଙ୍କ ସମର୍ଥକ ତଥା ଦଳୀୟ କର୍ମୀଙ୍କୁ କହିଥିଲେ ଯେ ସେ ଷଡଯନ୍ତ୍ରର ଶିକାର ହୋଇଯାଇଛନ୍ତି | ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବେ ଏବଂ ନିଶ୍ଚିତ ଭାବରେ ପୁନର୍ବାର ମନ୍ତ୍ରୀ ହେବେ।
ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିବା ଠିକାଦାର ସନ୍ତୋଷ ପାଟିଲ୍ଙ୍କ ମୃତଦେହ ମଙ୍ଗଳବାର ଦିନ ଉଡୁପିର ଏକ ଲଜ୍ରୁ ମିଳିଥିଲା | ଆଉ ମୃତ୍ୟୁ ପୂର୍ବରୁ ସନ୍ତୋଷ ପାଟିଲ୍ ତାଙ୍କ ବନ୍ଧୁମାନଙ୍କ ନିକଟକୁ ‘ହ୍ବାଟସ୍ଆପ୍’ ବାର୍ତ୍ତା ପଠାଇଥିଲେ। ସେଥିରେ ସେ ଆତ୍ମହତ୍ୟା କରିବେ ଏବଂ ଏ ଭଳି ଚରମ ନିଷ୍ପତ୍ତି ନିମନ୍ତେ ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ।
Follow Us