Image Courtesy of NDTV
ହାଇଦ୍ରାବାଦ: ମହାପୁରୁଷ ମହମ୍ମଦ୍ଙ୍କ ସଂକ୍ରାନ୍ତରେ ବିଜେପି ମୁଖପାତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଆରବ ରାଷ୍ଟ୍ରସମୂହଙ୍କ ତୀବ୍ର ପ୍ରତିକ୍ରିୟା ପାଇଁ ଭାରତ ନୁହେଁ, ବିଜେପି କ୍ଷମାଭିକ୍ଷା କରିବା ଉଚିତ ବୋଲି ଆଜି ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି।
କେଟିଆର୍ ନାଁରେ ଜନପ୍ରିୟ ରାଓ ପଚାରିଛନ୍ତି, ବିଜେପିର ଧର୍ମାନ୍ଧମାନଙ୍କ ଘୃଣ୍ୟ ଭାଷଣ ନିମନ୍ତେ ଗୋଟାଏ ଦେଶ ହିସାବରେ ଭାରତ କାହିଁକି କ୍ଷମାଭିକ୍ଷା କରିବ?
ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ବାରମ୍ବାର ଘୃଣ୍ୟ ମନ୍ତବ୍ୟ ଦେଇ ତାହାର ପ୍ରସାର କରୁଥିବା ପ୍ରଧାନମନ୍ତ୍ରୀଙ୍କ ଦଳ ଦେଶବାସୀଙ୍କୁ କ୍ଷମାଭିକ୍ଷା କରିବା ଉଚିତ।
ଟୁଇଟ୍ କରି ସେ ଲେଖିଛନ୍ତି, ଗୋଟାଏ ଦେଶ ହିସାବରେ ଭାରତ ନୁହେଁ, ବିଜେପି କ୍ଷମାଭିକ୍ଷା କରିବା ଉଚିତ।
Image Courtesy of The Times of Indiaସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସାଂସଦ ପ୍ରଜ୍ଞା ସିଂହ ମହାତ୍ମା ଗାନ୍ଧୀ ହତ୍ୟାକୁ ପ୍ରଶଂସା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିରବତା ଅସହ୍ୟ ଏବଂ ବିସ୍ମୟକର। ଆପଣଙ୍କୁ ସ୍ମରଣ କରାଇ ଦେଉଛି, ଯାହା କରିବା ପାଇଁ ଆପଣ ଅନୁମତି ଦେଉଛନ୍ତି, ଆପଣ ତାହାର ପ୍ରସାର କରୁଛନ୍ତି। ଉପରସ୍ତରରୁ ମୌନ ସମ୍ମତି ହିଁ ଧର୍ମାନ୍ଧତା ଏବଂ ଘୃଣ୍ୟତାକୁ ଦୁଃସାହସୀ କରାଉଛି।
କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ରବିବାର ରାତିରେ ଟୁଇଟ୍ କରି ଲେଖିଛନ୍ତି: ଦେଶରେ ଧର୍ମାନ୍ଧତା ବ୍ୟକ୍ତ କରୁଥିବା ବ୍ୟକ୍ତିମାନେ ବିଦେଶରେ ଏହାର ପରିଣାମ ବିଷୟରେ ସତର୍କ ରହିବା ଉଚିତ। ସମଗ୍ର ବିଶ୍ବରେ ଥିବା ଭାରତର ଗୌରବ ସାମ୍ପ୍ରଦାୟିକ ମନୋଭାବାପନ୍ନମାନଙ୍କର ଦାୟିତ୍ବହୀନତାଦ୍ବାରା କ୍ଷୁଣ୍ଣ ହେଉଛି। ଦୀର୍ଘ ଦିନ ହେବ ଶାସକ ଦଳ ସେମାନଙ୍କୁ ଅଖଣ୍ଡ ସ୍ବାଧୀନତା ଦେଇଛି।
ଉଲ୍ଲେଖଯୋଗ୍ୟ, ବିଜେପି ମୁଖପାତ୍ରମାନଙ୍କ ଘୃଣ୍ୟ ମନ୍ତବ୍ୟ ଯୋଗୁଁ ଭାରତ ଉପସାଗୀୟ ଦେଶଗୁଡ଼ିକର ଭର୍ତ୍ସନାର ସରବ୍ୟ ହେଉଛି। ସାଉଦୀ ଆରବ, କତାର, ବାହାରୈନ୍ ଏବଂ ଇରାନ୍ ଆଦି ଉପସାଗରୀୟ ଦେଶ ସବୁ ଏତାଦୃଶ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।
Follow Us